ଆଜି ପରୀ ଗାଁକୁ ଯିବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ : ନୂଆକରି ଦାୟିତ୍ୱ ନେବାପରେ ଗତକାଲି ଭୁବନେଶ୍ୱରରେ ପହଂଚିଛନ୍ତି ଡି. ପୁରନ୍ଦେଶ୍ୱରୀ

 ୩ ଦିନର ରହଣୀ ଭିତରେ ଜିଲ୍ଲୀ ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ସହ କରିବେ ଆଲୋଚନା

130

କନକ ବ୍ୟୁରୋ : ପରୀ ଗାଁକୁ ଯିବେ ପୁରନ୍ଦେଶ୍ୱରୀ । ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ପହଁଚିଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଆଉ ପ୍ରଥମଥର ପାଇଁ ଓଡିଶା ଆସି ପରୀ ପ୍ରସଙ୍ଗରେ ରାଜ୍ୟ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ଦିଶାନିର୍ଦ୍ଦେଶ ଦେବେ ନୂଆ ପ୍ରଭାରୀ । ପରୀର ପରିବାରକୁ ଭେଟି ସମବେଦନା ଜଣାଇବା ସହ ମାମଲାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ବଢାଇବାକୁ ଦଳୀୟ ନେତା ଓ କର୍ମୀଙ୍କୁ ନୂଆ ମନୋବଳ ଯୋଗାଇ ପାରନ୍ତି ପ୍ରଭାରୀ ।

ତେବେ ଓଡ଼ିଶାରେ ରହଣି ମଧ୍ୟରେ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ସହ ଆଲୋଚନା କରିବେ ପୁରନ୍ଦେଶ୍ୱରୀ । ଛାମୁଆ ସଂଗଠନର ନେତାଙ୍କ ସହ ମଧ୍ୟ ଆଲେଚେନା କରିବା କାର୍ଯ୍ୟକ୍ରମ ରହିଛି । ଗତକାଲି ସଂଧ୍ୟାରେ ପୁରନ୍ଦେଶ୍ୱରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ପାଛୋଟି ଆଣିଥିଲେ ଦଳୀୟ କର୍ମୀ ଓ ନେତା । ନାରାବାଜିରେ କମ୍ପି ଉଠିଥିଲା ବିମାନ ବନ୍ଦର ପରିସର । ଡି. ପୁରନ୍ଦେଶ୍ୱରୀ କହିଛନ୍ତି, ପ୍ରଥମେ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତାଙ୍କ ସହ ସେ ଆଲୋଚନା କରିବେ । ଆଗାମୀ ୧୨ ତାରିଖ ଯାଏଁ ଓଡିଶାରେ ରହିବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ।