ସରିଲା ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏର ଆସନ ବୁଝାମଣା । ବିଜେପି ୧୧୨, ଓ ଜେଡିୟୁ ୧୧୫ ଆସନରେ ଦେବ ପ୍ରାର୍ଥୀ । ସେପଟେ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେବାକୁ ଏଲଜେପିର ଘୋଷଣା ।

329

କନକ ବ୍ୟୁରୋ : ବିହାର ନିର୍ବାଚନକୂୁ ନେଇ ଆସିଲା ବଡ ଖବର । ବହୁ ବାଦ ବିବାଦ ପରେ ଏନଡିଏ ମେଣ୍ଟରେ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି । ମିଳିଥିବା ସୂଚନା ମୁତାବକ ବିହାର ମୋଟ ୨୪୩ ଟି ବିଧାନସଭା ଆସନ ମଧ୍ୟରୁ ୧୧୨ ଟି ଆସନରେ ବିଜେପି ଓ ୧୧୫ ଟି ଆସନରେ ଜେଡିୟୁ ପ୍ରାର୍ଥୀ ଦେବା ନେଇ ସ୍ଥିର ହୋଇଛି । କେବଳ ଔପଚାରିକ ଘୋଷଣା ବାକି ରହିଛି ।

ଅନ୍ୟପଟେ ମହାଗଠବନ୍ଧନରୁ ଅଲଗା ହୋଇ ଏନଡିଏରେ ସାମିଲ ହୋଇଥିବା ମୁକେଶ ସାହାଣୀଙ୍କ ଭିଆଇପି ପାର୍ଟି ୯ ଟି ଆସନରେ ପ୍ରାର୍ଥୀ ଦେବ । ସେହିଭଳି ଜିତିନରାମ ମାଂଝୀଙ୍କ ଏଚଏଏମ୍ ପାର୍ଟିକୁ ୭ ଟି ଆସନରେ ପ୍ରାର୍ଥୀ ଦେବ ବୋଲି ସୂଚନା ମିଳିଛି ।

ଏନେଇ ଗତକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଙ୍କ ବାସଭବନରେ ବିହାର ବିଜେପିର କୋର କମିଟି ବୈଠକ ବସିଥିଲା । ଏଥିରେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ଓ ବିହାର ବିଜେପି ପ୍ରଭାରୀ ଭୂପେନ୍ଦ୍ର ସିଂ ଯାଦବ ଉପସ୍ଥିତ ଥିଲେ ।

୨୦୧୦ ରେ ବି ବିଜେପି ଓ ଜେଡିୟୁ ବିହାର ବିଧାନସଭା ନିର୍ବାଚନ ମିଳିତ ଭାବେ ଲଢିଥିଲେ । ସେତେବେଳେ ଜେଡିୟୁ ୧୪୧ ଓ ବିଜେପି ୧୦୨ ଆସନରେ ପ୍ରାର୍ଥୀ ଦେଇଥିଲେ । ଏହି ନିର୍ବାଚନରେ ଜେଡିୟୁ ୧୧୫ ଓ ବିଜେପି ୯୧ ଟି ଆସନରେ ବିଜୟଲାଭ କରିଥିଲେ ।
ସୂଚନା ଥାଉକି ବିହାର ବିଧାନସଭା ପାଇଁ ଭୋଟ ଗ୍ରହଣ ୨୮ ଅକ୍ଟୋବରରୁ ଆରମ୍ଭ ହେବ । ଏଥିରେ ମୁଖ୍ୟତ ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ ଲଢେଇ ହେବ । ସେପଟେ ମହାଗଠବନ୍ଧନରେ ଆରଜେଡି ୧୪୪, କଂଗ୍ରେସ ୭୦ ଓ ବାମଦଳ ୨୯ ଟି ଆସନରେ ପ୍ରାର୍ଥୀ ଦେବା ନେଇ ସ୍ଥିିର ହୋଇଛି ।

ଏନଡିଏ ସହିିିିତ କେନ୍ଦ୍ରରେ ମେଣ୍ଟ କରିଥିବା ରାମବିଳାଶ ପଶୱାନଙ୍କ ପାର୍ଟି ଏଲଜେପି କିନ୍ତୁ ଏହି ବିଧାନସଭା ନିର୍ବାଚନରେ ଏନଡିଏ ସହିତ ମେଣ୍ଟ ନକରି ଏକା ନିର୍ବାଚନ ମୈଦାନକୁ ଉହ୍ଲାଇବ ବୋଲି ଜଣାପଡିଛି । ଏଲଜେପି ରାଜ୍ୟମୁଖ୍ୟ ଚିରାଗ ପଶୱାନ କହିଛନ୍ତି କି ସେ ବିଜେପି ବିରୋଧରେ ନୁହେଁ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେବ । ଏଲଜେପି ୧୪୩ ଟି ଆସନରେ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ହୋଇଛି । କିନ୍ତୁ ବିଜେପିକୁ ସମର୍ଥନ କରିବ । କହିରଖୁ କି ବିହାରରେ ୩ ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ୨୮ ଅକ୍ଟୋବର, ୨ୟ ପର୍ଯ୍ୟାୟ ୩ ନଭେମ୍ବର ଓ ତୃତୀୟ ପର୍ଯ୍ୟାୟ ୭ ନଭେମ୍ବରକୁ ହେବ । ୧୦ ନଭେମ୍ବରକୁ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ସେପଟେ ୨୦୧୫ ରେ ହୋଇଥିବା ବିଧାନସଭା ନିର୍ବାଚନରେ ଆରଜେଡିକୁ ୮୦, ଜେଡିୟୁକୁ ୭୧, ବିଜେପିକୁ ୫୩ ଓ କଂଗ୍ରେସକୁ ୨୭ ଟି ଆସନ ମିଳିଥିଲା ।