ଶାହରୁଖ ଖାନଙ୍କ ଡ୍ରାଇଭରକୁ ସମନ କଲା ଏନସିବି । ଡ୍ରଗ୍ସ ମାମଲାରେ ପ୍ରଯୋଜକ ଇମତିଆଜଙ୍କୁ ନେଇ ମଧ୍ୟ ଜୋର ଧରିଲା ଚର୍ଚ୍ଚା

119

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପଟେ ଏହି ମାମଲାରେ ଖୋଲତାଡ ଜାରି ରଖିଛି ଏନସିବି । ମାମଲାରେ ଆଜି ଆରୟନଙ୍କ ଡ୍ରାଇଭରଙ୍କୁ ଏନସିବି ଜେରା କରିଛି । ବର୍ତ୍ତମାନ ଆରୟନଙ୍କ ସମେତ ୬ଜଣ ଅଭିଯୁକ୍ତଙ୍କୁ ଆର୍ଥର ରୋଡ ଜେଲ ଓ ୨ଜଣ ମହିଳା ଅଭିଯୁୁକ୍ତ ଭାୟଖାଲା ଜେଲରେ ରଖାଯାଇଛି । ସେପଟେ ଘଟଣାରେ ନୂଆ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ହେଲେ ପ୍ରଯୋଜକ ଇମତିଆଜ ଖତରୀ । ଇମତିଆଜଙ୍କୁ ଜେରା କରୁଛି ଏନସିବି । ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଚଢାଉ କରିଛି ଏନସିବି । ମାମଲାରେ ଆରୟନ ଖାନ ଓ ଅରବାଜ ମର୍ଚ୍ଚାଣ୍ଟକୁ ଜେରା କରିବା ସମୟରେ ଡ୍ରଗ୍ସ ପେଡେଲର ଅର୍ଚ୍ଚିତ କୁମାରଙ୍କ ନାଁ ସାମ୍ନାକୁ ଆସିଥିଲା । ଅର୍ଚ୍ଚିତକୁ ଗିରଫ ଓ ଜେରା ସମୟରେ ସେ ଇମତିଆଜ ଖତରୀଙ୍କ ନାଁକୁ ନେଇ କିଛି ତଥ୍ୟ ଉଗାଳିଛି  । ଇମତିଆଜ ଜଣେ ପ୍ରଯୋଜକ ଓ ବିଲଡର ଭାବେ ମୁମ୍ବାଇର ଜଣେ ଜଣାଶୁଣା ନାଁ । ୨୦୨୦ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମଧ୍ୟ ଇମତିଆଜଙ୍କ ନାଁ ଉଠିଥିଲା । ସୁଶାନ୍ତ ଓ ତାଙ୍କର କିଛି ପାର୍ଟି ସମୟର ଫଟୋ ଭାଇରାଲ ହେବା ସହ କିଛି ଲୋକ ଅଭିଯୋଗ କରିଥିଲେ କି ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଉଥିଲେ ଇମତିଆଜ ।