କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ରାଜନୈତିକ ମୋଡ । ବିଜେପି କଥାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ୍ ଖାନଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲ୍ଲିକ । ସେ କହିଛନ୍ତି ଗତ ଏକ ମାସ ହେବ ମୁମ୍ବାଇର ସବୁ କ୍ରାଇମ୍ ରିପୋର୍ଟର ମାନଙ୍କ ପାଖରେ ଖବର ବୁଲୁଥିଲା ଯେ, ଆଗାମୀ ଟାର୍ଗେଟ ଶାହରୁଖ ଖାନ୍ ବୋଲି । ବିଜେପି ଜାଣିଶୁଣି ଏନସିବିକୁ ହାତ କରି ଶାହରୁଖଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ ନୱାବ ମଲ୍ଲିକ ।
ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଏନସିବିକୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲ୍ଲିକ । ଲଗାତାର ୩ଦିନ ଧରି ସାମ୍ବାଦିକ ସମ୍ମିଳନୀ କରି ଏନସିବି ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଜାଣିଶୁଣି ସୁପରଷ୍ଟାର ଶାହରୁଖ ଖାନଙ୍କୁ କରାଯାଉଛି ଟାର୍ଗେଟ୍ । କ୍ରୁଜରେ ଡ୍ରଗ୍ସ ପାର୍ଟି ସମୟରେ ଏନସିବି ଚଢାଉ କରି କେତେ ଜଣଙ୍କୁ ଗିରଫ କରିଛି ସେ ତଥା ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ପାଖରେ କିପରି ନାହିଁ ବୋଲି ମନ୍ତ୍ରୀ ନୱାବ ମଲ୍ଲିକ ପ୍ରଶ୍ନ କରିଛନ୍ତି । ସେହିପରି ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୩ଜଣଙ୍କର ବିଜେପି ଲିଙ୍କ ଥିବାରୁ ସେମାନଙ୍କୁ ଏନସିବି ଛାଡି ଦେଇଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ । ଏହାକୁ ନେଇ ଏକ ଭିଡିଓ ସେୟାର କରି ଏନସିବି ଏକ ଠକ ସଂସ୍ଥା ବୋଲି କହିଛନ୍ତି ନୱାବ ମଲ୍ଲିକ ।
ସେପଟେ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗ ଭିତ୍ତିହୀନ ବୋଲି କହିଛି ଏନସିବି । ଶନିବାର ସାମ୍ବାଦିକ ସମ୍ମିଳନୀ କରି ଏନସିବି କହିଛି ଏଭଳି ଅଭିଯୋଗକୁ ଦୁର୍ଭାଗ୍ୟଜନକ । ପ୍ରମାଣ ରଖି ଏନସିବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ବୋଲି ଏନସିବି କହିଛି । ଅକ୍ଟୋବର ୨ରେ ଏନସିବି ଯେଉଁ ରେଡ୍ କରିଥିଲା ତାହା ନିୟମ ଅନୁଯାୟୀ ହୋଇଛି । ଏହି ମାମଲାରେ ଏଯାବତ ୧୮ ଜଣ ଗିରଫ ହୋଇଛନ୍ତି । ପଚରା ଉଚରା ପରେ ଏଯାବତ ୬ ଜଣଙ୍କୁ ଛଡା ଯାଇଛି । ହେଲେ ଆବଶ୍ୟକ ପଡିଲେ ସେମାନେ ଜେରାରେ ସାମିଲ ହେବେ ବୋଲି ଏନସିବି ମୁମ୍ବାଇ ଜୋନାଲ ହେଡ୍ ସମୀର ୱାଙ୍ଖଡେ କହିଛନ୍ତି । ଯେଉଁମାନେ ଅଭିଯୋଗ ଆଣୁଛନ୍ତି ଆଣିପାରିବେ ତାହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସମୀର କହିଛନ୍ତି । ଏନସିବି ସମସ୍ତ ପ୍ରମାଣ କୋର୍ଟରେ ଦେବ ବୋଲି ସେ କହିଛନ୍ତି ।
ସେପଟେ ଡ୍ରଗ୍ସ ମାମଲାରେ ମୁମ୍ବାଇ କୋର୍ଟ ଆରୟନ ଖାନଙ୍କ ସମେତ ୮ଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଛି । ଆର୍ଥର ରୋଡ ଜେଲରେ ଅଛନ୍ତି ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ୍ ।