ବଲିଉଡରେ ଡ୍ରଗ୍ସ କାରବାର ନେଇ ନିଶା ଛଡାଉଛି ଏନସିବି : ଆଜି ଦୀପିକା ପାଦୁକୋନ, ସାରା ଅଲ୍ଲି ଖାନ ଓ ଶ୍ରଦ୍ଧା କପୁରଙ୍କୁ କରିବ ପଚରା ଉଚୁରା

ସେପଟେ ଅଭିନେତ୍ରୀ ରକୁଲପ୍ରିତ ସିଂ ଓ କରିଶ୍ମା ପ୍ରକାଶଙ୍କୁ ଲମ୍ବା ଜେରା, ଗିରଫ ହେଲେ କ୍ଷୀତିଜ୍

155

କନକ ବ୍ୟୁରୋ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ବଲିଉଡ ଡ୍ରଗ୍ସ କାରବାର ଲିଙ୍କ ପଦାକୁ ଆସିବା ପରେ ଜୋରଦାର ଖୋଳତାଡ ଜାରି ରଖିଛି ଏନସିବି । ଜଣକ ପରେ ଜଣେ ବଲିଉଡର ନାଁକରା ଅଭିନେତ୍ରୀ ଏନସିବି ଜେରାର ସମ୍ମୁଖୀନ ହେଉଛନ୍ତି । ଆଜି ନାର୍କୋଟିକ୍ସ ବ୍ୟୁରୋ ଜେରାର ସମ୍ମୁଖୀନ ହେବେ ବଲିଉଡର ‘ମସ୍ତାନୀ’ ଦୀପିକା ପାଦୁକୋନ । ଏହାସହ ସାରା ଅଲି ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଆଜି ଜେରା କରିବ ଏନସିବି । ସେପଟେ ଗତକାଲି ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ରକୁଲପ୍ରିତ ସିଂଙ୍କୁ ଜେରା କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ୪ଘଂଟା ଧରି ଏନସିବି ଅଧିକାରୀଙ୍କ ପ୍ରଶ୍ନର ଉତର ରଖିଛନ୍ତି ରକୁଲ ।

ରିଆ ଚକ୍ରବର୍ତୀ ଓ ଜୟା ଶାହାଙ୍କ ସହ କରିଥିବା ଡ୍ରଗ୍ସ ଚାଟ୍ ବାବଦରେ ତାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ।  ଏହାସହ ଦୀପିକା ପାଦୁକୋନଙ୍କ ଟ୍ୟାଲେଂଟ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ସହ ରକୁଲ ପ୍ରିତଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିଛି ଏନସିବି । ଡ୍ରଗ୍ସ ପେଡଲରଙ୍କ ବୟାନ ଆଧାରରେ ଏନସିବି ରାଡାରକୁ ଚାଲିଆସିଛି କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ । ଆସିଷ୍ଟାଂଟ ଡାଇରେକ୍ଟର କ୍ଷିତିଜ ପ୍ରସାଦଙ୍କୁ ସମନ କରିବା ସହ ତାଙ୍କ ଘରେ ମଧ୍ୟ ରେଡ କରିଥିଲା  ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ଏସଆଇଟି । ପରେ ତାଙ୍କୁ ଗିରଫ କରିଛି ଏନସିବି ।