ପରୀ ପ୍ରସଙ୍ଗରେ ନୟାଗଡ ଏସପିଙ୍କୁ ଦିଲ୍ଲୀ ଡକରା । ଶିଶୁ ସୁରକ୍ଷା ଆୟୋଗରେ ଦେବେ ଜବାବ । ଏପଟେ ମନ୍ତ୍ରୀ ଅରୁଣ ସାହୁଙ୍କ ଘରେ ଧସେଇ ପଶିବାକୁ ବିଜେପି ମହିଳା ମୋର୍ଚ୍ଚାର ଉଦ୍ୟମ 

214

କନକ ବ୍ୟୁରୋ : ୫ ବର୍ଷର ଏହି ନିରିହ ଶିଶୁ, ପରୀକୁ ହତ୍ୟାକଲା କିଏ? ପରୀ ହତ୍ୟା ପଛରେ କାହାର କଣ ଉଦ୍ଦେଶ୍ୟ ଥାଇପାରେ? କିଏ ଏଭଳି ଏକ ନାରକୀୟ କାଣ୍ଡ ଘଟାଇଲା?  ଏହା ପଛରେ ରାଜନେତାଙ୍କ ବି ହାତ ଅଛି କି? ଏମିତି ଅନେକ ପ୍ରଶ୍ନର ଉତର ଖୋଜୁଛି ଓଡିଶା । ସାଢେ ୪ମାସ ପରେ ବି କିଛି ସୁରାଗ ମିଳୁନି ଏତେବଡ ନିଷ୍ଠୁର ଓ ନାରକୀୟ କାଣ୍ଡ ଘଟାଇଲା କିଏ?

ଏହି ପ୍ରଶ୍ନର ଉତର ଯେତେ ବିଳମ୍ବ ହେଉଛି, ରାଜନୀତି ସେତିକି ବଢୁଛି । ବିଜେପି ମହିଳା ମୋର୍ଚ୍ଚାର ନେତା ଓ କର୍ମୀ, ମନ୍ତ୍ରୀ ଅରୁଣ ସାହୁଙ୍କ ବାସ ଭବନରେ ଧସେଇ ପଶିବାକୁ ଚଷ୍ଟା କରିଥିଲେ । ନାରା ଦେଉଥିଲେ, ଅରୁଣ ସାହୁଙ୍କୁ ହଟାଓ ଏବଂ ସିବିଆଇ ତଦନ୍ତ କରାଅ ।

ସେପଟେ ପରୀ ପ୍ରସଙ୍ଗରେ କଂଗ୍ରେସ ଭିତରେ ଫାଟ । ଆଉ ଏହାର ସମାଧାନ ପାଇଁ ଦିଲ୍ଲୀରୁ ରାଜ୍ୟ ପ୍ରଭାରୀଙ୍କୁ ଆସିବାକୁ ପଡିଲା । ଶନିବାର କଂଗ୍ରେସର ଏକ ପ୍ରତିନିଧି ଦଳ ପରୀର ଗାଁ ଯଦୁପୁର ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏସବୁ ଭିତରେ ପରୀ ହତ୍ୟା ଘଟଣାର ସବୁଠୁ ଚର୍ଚ୍ଚିତ ଚେହେରା ବାବୁଲି ନାୟକ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । କହିଛନ୍ତି ଏହି ଘଟଣା ସହିତ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ଇଏ ହେଉଛନ୍ତି ସେହି ବାବୁଲି ନାୟକ ଯାହାକୁ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯିବା ସହିତ ମନ୍ତ୍ରୀ ଅରୁଣ ସାହୁ ତାଙ୍କୁ ଘଂଟ ଘୋଡାଉଥିବା ନେଇ ଅଭିଯୋଗ ଆସିଥିଲା ।

ରାଜନୀତିର ଦାଓପେଂଚ ଭିତରେ ପରୀ କେବେ ନ୍ୟାୟ ପାଇବ ତାହା ତ କହିବା ମୁସକିଲ, ହେଲେ ପରୀକୁ ମାରିଛି କିଏ ତାକୁ ଖୋଜି ବାହାର କରିବା ରାଜ୍ୟ ସରକାରଙ୍କ ପାଇଁ ବଡ ଆହ୍ୱାନ । ତା ସହିତ ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି, ପରୀକୁ କାହିଁକି ହତ୍ୟା କରାଯାଇଛି ଆଉ ହତ୍ୟାକାରୀକୁ ଘୋଡାଇବା ପାଇଁ ପ୍ରକୃତରେ କେହି ରାଜନେତା ଉଦ୍ୟମ କରିଛନ୍ତି କି?