ସମୁଦ୍ର ଭିତରୁ ଚୀନକୁ ସନ୍ଦେଶ : ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନୌସେନା ଯୁଦ୍ଧାଭ୍ୟାସ ଆରମ୍ଭ

205

କନକ ବ୍ୟୁରୋ : ସମୁଦ୍ର ଭିତରୁ ଚୀନକୁ କଡା ସନ୍ଦେଶ । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ନୌସେନାରର ମିଳିତ ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛି । ବଙ୍ଗୋପସାଗରରେ ମାଲାବାର ଏକ୍ସରସାଇଜରେ ଦମ ଦେଖାଇଛନ୍ତି ଏହି ଚାରିଟି ରାଷ୍ଟ୍ର । ମାଲାବାର ନୌସମରାଭ୍ୟାସରେ ପ୍ରଥମ ଥା ପାଇଁ ଯୋଗ ଦେଇଛି ଅଷ୍ଟ୍ରେଲିଆ । ଦୁଇଟି ପର୍ଯ୍ୟାୟରେ ବଙ୍ଗୋପସାଗରରେ ହେବ ଏହି ସମରାଭ୍ୟାସ । ଆଜି ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି ।

ମାଲାବାର ନୌସମରାଭ୍ୟାସରେ କ୍ୱାଡ ସଦସ୍ୟ ଥିବା ୪ଟି ଦେଶ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଯୋଗଦେଇଛନ୍ତି ଫଳରେ ମାଲାବାର ନୌସମରାଭ୍ୟାସର ଗୁରୁତ୍ୱ ବଢିଯାଇଛି । ଚଳିତ ବର୍ଷ ଲଦାଖରେ ଚୀନ୍ ଓ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିବା ବେଳେ ଏହି ସମରାଭ୍ୟାସର ଗୁରୁତ୍ୱ ବଢିଯାଇଛି । ନଭେମ୍ବର ୩ରୁ ୬ ଓ ୧୭ରୁ ୨୦ତାରିଖ ଯାଏଁ ବଙ୍ଗୋପସାଗରରେ ଏହି ସମାରାଭ୍ୟାସ ଚାଲିବ ।

ଚଳିତ ବର୍ଷ ଭାରତୀୟ ନୌସେନା ସ୍ୱତନ୍ତ୍ର ଭାବେ ଜାପାନ ନୌସେନା ଓ ଅଷ୍ଟ୍ରେଲିଆ ନୌସେନା ସହ ସମରାଭ୍ୟାସ କରିସାରିଛି । ସେହିପରି ଭାରତୀୟ ମହାସାଗରରେ ଆମେରିକା ନୌସେନା ସହ ପାସେକ୍ସ ସମରାଭ୍ୟାସ କରିସାରିଛି । ଗତ ୨୦୧୯ରେ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୪ତାରିଖ ଯାଏଁ ଜାପାନ ଉପକୂଳରେ ମାଲାବାର ନୌସମରାଭ୍ୟାସ ହୋଇଥିଲା ।