ଗୁଜରାଟର ଲୁଣ ଖାଉଛନ୍ତି ଦେଶବାସୀ। ରାଷ୍ଟ୍ରପତିଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟ୍ୱିଟ୍।

157

କନକ ବ୍ୟୁରୋ: ନିକଟରେ ଗୁଜୁରାଟ ଗସ୍ତରେ ଯାଇଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଲୁଣ ଉତ୍ପାଦନ ପ୍ରସଙ୍ଗରେ ଭାଷଣ ଦେଇଥିଲେ । କହିଥିଲେ, ଦେଶର ୭୬ ପ୍ରତିଶତ ଲୁଣ ଗୁଜରାଟ ଉତ୍ପାଦନ କରୁଛି । କହିବାକୁ ଗଲେ ସବୁ ଦେଶବାସୀ ଗୁଜରାଟର ଲୁଣ ଖାଉଛନ୍ତି । ଯାହାକୁ କଂଗ୍ରେସ ନେତା ଉଦିତ ରାଜ ସହଜରେ ଗ୍ରହଣ କରିପାରିନାହାଁନ୍ତି । ରାଷ୍ଟ୍ରପତିଙ୍କ ଭାଷଣକୁ ନେଇ ଆପତି ଉଠାଇବା ସହ ଆପତ୍ତିଜନକ ଟିପଣୀ ଦେଇଛନ୍ତି । ଟୁଇଟ୍ କରି ଲେଖିଛନ୍ତି, ଏମିତି ରାଷ୍ଟ୍ରପତି ଏମିତି ରାଷ୍ଟ୍ରପତି ଆଉ କେଉଁ ଦେଶକୁ ନମିଳୁ । ଆନୁଗତ୍ୟର ବି ଗୋଟିଏ ସୀମା ଥାଏ । ଦେଶର ୭୦ପ୍ରତିଶତ ଲୋକ ଲୁଣ ଖାଇ ବଞ୍ଚୁଛନ୍ତି, ନିଜେ ଲୁଣ ଖାଇ ଜୀବନ ବିତାଇଲେ ଜଣାପଡିବ ।

ଦେଶର ପ୍ରଥମ ନାଗରୀକଙ୍କ ପ୍ରତି ଏଭଳି ମନ୍ତବ୍ୟକୁ ଗୁରୁତ୍ୱର ସହ ନେଇଛି ଜାତୀୟ ମହିଳା କମିଶନ । ମହିଳା କମିଶନ ଉଦିତ ରାଜଙ୍କୁ ନୋଟିସ୍ ପଠାଇବା ସହ ବିବାଦୀୟ ବୟାନ ପାଇଁ କ୍ଷମାମାଗନ୍ତୁ ବୋଲି କହିଛନ୍ତି । ଉଦିତଙ୍କ ବୟାନଙ୍କୁ ମହିଳା କମିଶନ ଅଧ୍ୟକ୍ଷ ରେଖା ଶର୍ମା ‘ଅତ୍ୟଧିକ ଆପତିଜନକ’ ବୋଲି ଦର୍ଶାଇଛନ୍ତି । କହିଛନ୍ତି, ଦେଶର ସର୍ବୋଚ୍ଚ ଆସନରେ ବସିଥିବା ମହିଳାଙ୍କ ପ୍ରତି ଏଭଳି ଶବ୍ଦର ପ୍ରୟୋଗ ଅତ୍ୟନ୍ତ ଅପମାନଜନକ । ତେଣୁ ଉଦିତ୍ ରାଜ ନିଜର ମନ୍ତବ୍ୟ ପାଇଁ ଭୁଲ ମାଗିବା ଦରକାର । ସେହିପରି ବିଜେପି ଉଦିତଙ୍କ ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ରାଷ୍ଟ୍ରପତିଙ୍କ ପ୍ରତି କଂଗ୍ରେସ ବାରମ୍ବାର ଏଭଳି ଭାଷାର ପ୍ରୟୋଗ କରୁଛି । ଯାହା ସେମାନଙ୍କର ଆଦିବାସୀ ବିରୋଧୀ ମାନସିକତାକୁ ଦର୍ଶାଉଛି ।

ବିବାଦ ତେଜିବା ପରେ ଓ କଂଗ୍ରେସକୁ ବିଜେପିର ଟାର୍ଗେଟ ପରେ ଉଦିତ୍ ଆଉ ଏକ ଟ୍ୱିଟ କରିଛନ୍ତି । ଆଉ ଲେଖିଛନ୍ତି, ଏହି ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ, ଏହା କଂଗ୍ରେସ ଦଳର ମନ୍ତବ୍ୟ ନୁହେଁ ।ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପରେ ଆଦିବାସୀଙ୍କ ନାଁରେ ଭୋଟ୍ ମାଗିଲେ । ରାଷ୍ଟ୍ରପତି ବନିଲା ପରେ ସେ କ’ଣ ଆଉ ଆଦିବାସୀ ନାହାନ୍ତି? ସେ ଦେଶର ରାଷ୍ଟ୍ରପତି ଓ ଆଦିବାସୀଙ୍କ ପ୍ରତିନିଧି । ଦୁଃଖ ଲାଗେ ଯେତେବେଳେ ଆଦିବାସୀଙ୍କ ନାଁରେ ଭୋଟ୍ ମାଗି ଉଚ୍ଚ ପଦକୁ ଗଲା ପରେ ସବୁ ଭୁଲିଯାଆନ୍ତି ।

ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଟିପଣୀ ଦେବା କଂଗ୍ରେସ ନେତାଙ୍କ ପାଇଁ ପ୍ରଥମ ଘଟଣା ନୁହେଁ । ଉଦିତଙ୍କ ପୂର୍ବରୁ କଂଗ୍ରେସ ସାଂସଦ ଅଧିର ରଞନ ଚୌଧୁରୀ ମଧ୍ୟ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିଥିଲେ । ଯାହାକୁ ନେଇ ବିବାଦ ପରେ ପାର୍ଟିରୁ ଭୁଲରେ କଥା ଖସି ଯାଇଥିଲା ବୋଲି ସଫେଇ ରଖିଥିଲେ ଅଧୀର । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ହେଲେ, ବାରମ୍ବାର ମହାମହିମଙ୍କ ପ୍ରତି ଏଭଳି ଶବ୍ଦର ପ୍ରୟୋଗକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।