କନକ ବ୍ୟୁରୋ: ନିର୍ବାଚନ ଆସିଲେ ଜନମତକୁ ନେଇ ବିଭିନ୍ନ ପ୍ରକାର ସର୍ଭେ କରାଯାଏ । ଆଉ ଏହି ସର୍ଭେ ରାଜନୈତିକ ହଟଚମଟ ସୃଷ୍ଟି କରିବାକୁ ଯଥେଷ୍ଟ । ଜାତୀୟ ଗଣମାଧ୍ୟମ ଟାଇମସ ନାଓ ପକ୍ଷରୁ କରାଯାଇଥିବା ସେମିତି ଏକ ସର୍ଭେକୁ ନେଇ ଆରମ୍ଭ ହୋଇଛି ହୋହଲ୍ଲା । କାରଣ ସର୍ଭେ ରିପୋର୍ଟରେ, ଓଡିଶାରେ ବିଜେପିକୁ ଅଧିକ ଲୋକସଭା ଆସନ ମିଳିବ ବୋଲି କୁହାଯାଇଛି ।

Advertisment

ଟାଇମନ୍ସ ନାଓ ସର୍ଭେ
ବିଜେପି ୧୧
ବିଜେଡି ୦୯
କଂଗ୍ରେସ ୦୧
-----------------
ଓଡ଼ିଶା ୨୧
ଆକଳନର ଏହି ସଂଖ୍ୟା, ଭାରତୀୟ ଜନତା ପାର୍ଟିକୁ ହୁଏତ ଅଧିକ ଉତ୍ସାହିତ କରିଦେଇଛି । ଟାଇମସ ନାଓ ସର୍ଭେ ରିପୋର୍ଟ ସାମ୍ନାକୁ ଆସିବା ପରେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଆକଳନରୁ ଆଉ ଗୋଟିଏ ପାଦ ଆଗକୁ ବଢ଼ି କହିଛନ୍ତି- ଓଡ଼ିଶାରେ ବିଜେପିକୁ ୧୧ ନୁହେଁ ବରଂ ୧୬ଟି ଲୋକସଭା ଆସନ ମିଳିବ ।

ସର୍ଭେର ଆକଳନ ଅନୁସାରେ, ୨୧ ଲୋକସଭା ଆସନରୁ ବିଜେପିକୁ ୧୧, ବିଜେଡିକୁ ୯ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ । ତେବେ ୨୦୧୯ ତୁଳନାରେ, ବିଜେପିକୁ ୩ଟି ଆସନ ଅଧିକ ମିଳୁଥିବା ବେଳେ ବିଜେଡିର ୩ଟି ଆସନ ଖସୁଛି । ବିଧାନସଭାରେ କିନ୍ତୁ ବିଜେଡି ସବୁଠୁ ବଡ଼ ଦଳ ହେବ ବୋଲି ଆକଳନ କରାଯାଇଛି । ଏବଂ ଦ୍ୱିତୀୟ ସ୍ଥାନରେ ରହୁଛି ବିଜେପି

ଓଡ଼ିଶା ବିଧାନସଭା
ପ୍ରଥମ ଦଳ ବିଜେଡି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯେତେବେଳେ ‘ଅବ୍ କି ବାର୍-୪୦୦ ପାର୍୍’ର ନାରା ଦେଉଛନ୍ତି, ଏବଂ ବିଜେପି ଏକାକୀ ୩୭୦ ଆସନ ଜିିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି । ଠିକ୍ ସେତେବେଳେ ଏଭଳି ସବୁ ସର୍ଭେ ରିପୋର୍ଟ ଦଳୀୟ ମନୋବଳକୁ ଦୁଇ ଗୁଣିତ କରି ଦେଉଛି ।

ଏପଟେ ବିଜୁ ଜନତା ଦଳ କିନ୍ତୁ ଏହି ସର୍ଭେ ରିପୋର୍ଟ ଓଡ଼ିଶାରେ କାମ ଦେବନି ବୋଲି କହିିଛି । ନବୀନଙ୍କ ଲୋକପ୍ରିୟତା ଆଗରେ ସବୁ ଫକା ବୋଲି କହିଛନ୍ତି ବିଜେଡି ବିଧାୟକ । ଯେତେ ପ୍ରଚାର ପ୍ରସାର କଲେ ମଧ୍ୟ ୨୧ରୁ ୨୧ ଲୋକସଭା ଆସନ ବିଜେଡି ଜିତିବ ବୋଲି ଦମ୍ଭୋକ୍ତି କରିଛନ୍ତି ସୁଧୀର ସାମଲ ।

ତେବେ ଟାଇମ୍ସ ନାଉ’ର ସର୍ଭେ ରିପୋର୍ଟକୁ ହାଲୁକା ଭାବେ ଗ୍ରହଣ କରିବାକୁ ରାଜି ନୁହଁନ୍ତି କଂଗ୍ରେସ ବିଧାୟକ ଦଳ ନେତା । ଏହି ସର୍ଭେରେ ସତ୍ୟତା ଥିଲେ ବିଜେଡି, ସଂସଦରେ ହାରୁଛି । ତେବେ କଂଗ୍ରେସ ପାଇଁ ଏହା ଚିନ୍ତାର ବିଷୟ ।ଦଳକୁ ରାସ୍ତା ବାହାର କରି ସର୍ଭେକୁ ଭୁଲ ପ୍ରମାଣିତ କରିବାକୁ ହେବ ବୋଲି କହିଛନ୍ତି ନରସିଂହ ।

ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ଉସ୍ମତା ସେତେ ବଢୁଛି । ଆଉ ମଝିରେ ମଝିରେ ଆସୁଥିବା ଏହି ସର୍ଭେ ରିପୋର୍ଟ ରାଜନୀତିର ପରିବେଶକୁ ସରଗରମ୍ କରି ଦେଉଛି ।