ପାଞ୍ଚ ରାଜ୍ୟର ନିର୍ବାଚନ ପ୍ରଚାର କଟକଣାକୁ କୋହଳ କଲେ ଜାତୀୟ ନିର୍ବାଚନ କମିଶନ । ପଦଯାତ୍ରାକୁ ଦେଲେ ଅନୁମତି

91

କନକ ବ୍ୟୁରୋ: ପାଞ୍ଚ ରାଜ୍ୟର ନିର୍ବାଚନ ପ୍ରଚାର ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ଜାତୀୟ ନିର୍ବାଚନ କମିଶନ । ସଂକ୍ରମଣ କମୁଥିବାରୁ ନିର୍ବାଚନରେ ପଦଯାତ୍ରାକୁ ଅନୁମତି ଦେଇଛନ୍ତି କମିଶନ । ତେବେ ସୀମିତ ସଂଖ୍ୟାରେ ଲୋକଙ୍କୁ ନେଇ ପଦଯାତ୍ରା କରିବାକୁ କହିଛନ୍ତି । ସେହିପରି ପ୍ରଚାର ସମୟ ସୀମାକୁ ବୃଦ୍ଧି କରିଛନ୍ତିି । ଏଣିକି ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ପ୍ରାର୍ଥୀ ଓ ରାଜନୈତିକ ଦଳ । ପୂର୍ବରୁ ପ୍ରଚାର ସମୟ ସକାଳ ୬ଟାରୁ ରାତି ୮ଟା ଥିଲା । ଏଥିସହ ୫୦ ପ୍ରତିଶତ କ୍ଷମତାରେ ଖୋଲାସ୍ଥାନରେ ସମାବେଶ କରିବା ପାଇଁ ଅନୁମତି ଦେଇଛନ୍ତି । କରୋନା ସଂକ୍ରମଣକୁ ନଜରରେ ରଖି ୫ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାରରେ ପଦଯାତ୍ରା , ଶୋଭାଯାତ୍ରା ଓ ସମାବେଶ ଉପରେ କଟକଣା ଲଗାଇଥିଲେ ନିର୍ବାଚନ କମିଶନ । ଡିଜିଟାଲ ମାଧ୍ୟମରେ ଓ ଘର ଘର ବୁଲି ପ୍ରଚାର କରିବାକୁ କହିଥିଲେ । ତାପରେ ପର୍ଯ୍ୟାୟ କ୍ରମେ କଟକଣାକୁ କୋହଳ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ପଦଯାତ୍ରାକୁ ଅନୁମତି ଦେଇନଥିଲେ ।