କୋର୍ଟରେ ହାଜର ହେଲେ ଆରୟନ ଖାନ: ପୁଣି ୪ଦିନର ରିମାଣ୍ଡ ମାଗିଲା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ

93

କନକ ବ୍ୟୁରୋ: ଡ୍ରଗ୍ସ କେସ୍ ମାମଲାରେ ଆଜି ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ପୁଅ ଆରୟନ୍ ଖାନ୍ଙ୍କୁ କୋର୍ଟରେ ହାଜର କରାଯାଇଛି । ଆଜି ଆରୟନଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ଆରୟନଙ୍କ ସମେତ ୮ ଜଣଙ୍କୁ କୋର୍ଟରେ ହାଜର କରିଛି ଏନ୍ସିବି । ଆରୟନ ଖାନଙ୍କୁ ପୁଣି ୪ ଦିନର ରିମାଣ୍ଡ ମାଗିଲା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଆରୟନଙ୍କୁ ବେଲ୍ ମିଳିବ ନା ଜେଲ ଯିବେ ସେନେଇ ଆଜି କୋର୍ଟ ନିଷ୍ପତି ନେବେ ।

ରେଭ୍ ପାର୍ଟରୁ ଆରୟନଙ୍କୁ ଗିରଫ କରାଯିବା ପରେ ପ୍ରଥମେ ଗୋଟିଏ ଦିନ ପାଇଁ ନିଜ ହେପାଜତକୁ ନେଇଥିଲା ଏନ୍ସିବି । କୋର୍ଟରେ ହାଜର ହେବା ପରେ ୭ ଅକ୍ଟୋବର ପର୍ଯ୍ୟନ୍ତ ପୁଣି ଏନ୍ସିବି ହେପାଜତକୁ ପଠାଇ ଦିଆଯାଇଥିଲା । ଆରୟନଙ୍କୁ କିପରି ଶୀଘ୍ର ଜାମିନ୍ ମିଳିବ, ସେନେଇ ତାଙ୍କ ଓକିଲ ଉଦ୍ୟମ କରୁଛନ୍ତି । ସେ ବିଦେଶୀ ଡ୍ରଗ୍ସ ପେଡଲରଙ୍କ ସଂପର୍କରେ ଥିବା ତାଙ୍କ ହ୍ୱାଟ୍ସଆପ୍ ଚାଟ୍ରୁ ଖୁଲାସା ହୋଇଥିବା କୋର୍ଟକୁ ଜଣାଇଛି ଏନ୍ସିବି । ଆମେରିକା ଓ କାଲିଫର୍ଣ୍ଣିଆ ୟୁନିଭରସିଟିରେ ପଢୁଥିବା ବେଳେ ସେ ଡ୍ରଗ୍ସ ସେବନ କରୁଥିବା ଏନ୍ସିବି କୋର୍ଟକୁ କହିଛି ।

ତେଣୁ ଆଜି ଆରୟନଙ୍କୁ ବେଲ୍ ମିଳୁଛି ନା ତାଙ୍କୁ ଜେଲ ପଠାଇ ଦିଆଯିବ, ତାହା ଉପରେ ନଜର ରହିଛି । ସେପଟେ ବିଦେଶୀ ଲିଙ୍କ ମାମଲାର ଗୁମର ଖୋଲିବ ଏନ୍ସିବି । ଗତକାଲି ରାତିରେ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିଛି ଏନ୍ସିବି । ତାଙ୍କ ନିକଟରୁ ବିପୁଳ ମାତ୍ରାରେ ନିଶାଦ୍ରବ୍ୟ ଜବତ କରାଯାଇଛି । ଏହାକୁ ମିଶାଇ ଡ୍ରଗ୍ସ କେସ୍ ମାମଲାରେ ଗିରଫ ସଂଖ୍ୟା ୧୮ରେ ପହଂଚିଛି ।