କନକ ବ୍ୟୁରୋ : ୨ ବର୍ଷ ତଳୁ ସ୍ୱେଚ୍ଛାକୃତ ଭାବେ ଶିମିଳିପାଳ ଅଭୟାରଣ୍ୟ ପାଇଁ ଗାଁ ଛାଡି ଥିବା ବିସ୍ଥାପିତ ଦେଇପାରିବେ ନାହିଁ ଭୋଟ୍ । ଥଇଥାନ ହୋଇଥିବା ଗାଁର ଭୋଟର ତାଲିକାରେ ନାହିଁ ବିସ୍ଥାପିତଙ୍କ ନାଁ । ସାମଗ୍ରିକ ବିକାଶ ଆଶାରେ ଭିଟାମାଟି ଛାଡିଥିବା ଲୋକେ ଚଳିତ ପଞ୍ଚାୟତ ନିର୍ବାଚନରୁ ବାଦ ପଡିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ।
ମତଦାନରୁ ବଞ୍ଚିତ ବିସ୍ଥାପିତ । ଥଇଥାନ ହୋଇଥିବା ଗାଁ ଭୋଟର ତାଲିକାରେ ନାହିଁ ବିସ୍ଥାପିତଙ୍କ ନାଁ । ଗଣତନ୍ତ୍ରର ମହାପର୍ବରୁ ବଞ୍ଚିତ ହେବେ ଶିମିଳିପାଳ ଅଭୟାରଣ୍ୟ କୋର ଏରିଆରୁ ଭିଟାମାଟି ଛାଡି ବିସ୍ଥାପିତ ହୋଇଥିବା ୧୪୪ ଖଡିଆ-ମାଙ୍କଡିଆ ପରିବାର । ୨୦୨୦, ଜାନୁଆରୀ ୨୪ ତାରିଖରୁ, ପୁରୁଷ ପୁରୁଷର ଭିଟାମାଟି ଛାଡି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ଗାଁରେ ଥଇଥାନ ହୋଇଛନ୍ତି ଏମାନେ । ସେତେବେଳେ ବନବିଭାଗ ପକ୍ଷରୁ ଅସ୍ଥାୟୀ ଘରେ ଥଇଥାନ କରାଯାଇଥିବା ବେଳେ ପରିବାର ପିଛା ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । କିନ୍ତୁ ବିଡମ୍ବନା, ୨ ବର୍ଷ ହେଲା ବିସ୍ଥାପିତ ହୋଇ ସାଲେଇବେଡା ଗାଁରେ ରହୁଥିବା ୨ଶହରୁ ଅଧିକ ଭୋଟରଙ୍କ ନାଁ ଏଠିକାର ଭୋଟର ତାଲିକାକୁ ଉଠିନାହିଁ । ତେଣୁ ଖଡିଆ-ମାଙ୍କଡିଆ ଭୋଟର ଏଥର ମତଦାନରୁ ବାଦ ପଡିବେ ।
ଭୋଟ ତାଲିକାରେ ନାଁ ନଥିବାରୁ ବିସ୍ଥାପିତ କ୍ଷୋଭ ପ୍ରକାଶ କରିବା ସହ ବ୍ଲକ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି । ଭୋଟ୍ ଦେଇ ନପାରିଲେ ଆଗାମୀ ଦିନରେ ପଞ୍ଚାୟତ ପ୍ରତିନିଧିଙ୍କ ପାଖରେ ନିଜର ଦାବୀ ରଖି ପାରିବେ ନାହିଁ ବୋଲି କହିଛନ୍ତି । ଏବଂ ଆବଶ୍ୟକ ହେଲେ ପୁଣି ଶିମିଳିପାଳ ଅଭୟାରଣ୍ୟ ଭିତରୁ ଚାଲି ଯିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଭୋଟର ତାଲିକା ପ୍ରସ୍ତୁତ କରିଥିବା ସ୍ଥାନୀୟ ବିଏଲଓ କହିଛନ୍ତି, ଜାନୁଆରୀ ମାସର ଭେରିଫିକେସନ୍ ତାଲିକାରେ ବିସ୍ଥାପିତ ଭୋଟରଙ୍କ ନାଁ ଥିଲା, କିନ୍ତୁ ଚୂଡାନ୍ତ ତାଲିକାରେ କଟିଯାଇଛି । ସେପଟେ ବିଡିଓ ଏଥିପାଇଁ ବିସ୍ଥାପିତଙ୍କୁ ହିଁ ଦାୟୀ କରିଛନ୍ତି । ଆସନ୍ତା ୨୪ ତାରିଖରେ ଏହି ଅଞ୍ଚଳରେ ପଞ୍ଚାୟତ ପ୍ରତିନିଧି ବାଛିବା ନେଇ ଭୋଟ ଗ୍ରହଣ କରାଯିବ ।