କନକ ବ୍ୟୁରୋ: ରାଜ୍ୟ ବଜେଟରେ ବଡ ବ୍ୟୟ ବରାଦ କରି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସରକାର। ପୂର୍ବ ସରକାର ଚଳାଇଥିବା କୌଣସି ଯୋଜନା ବନ୍ଦ ହେବ ନାହିଁ। ବରଂ ନାଁ ବଦଳି ନୂଆ ରୂପରେ ଆସିବ ବୋଲି ସଙ୍କେତ ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, ନାଁ ବଦଳିବା ପରେ ଯୋଜନାର ରୂପ ରେଖ ବଦଳିବ କି। ସ୍ୱାସ୍ଥ୍ୟ କାର୍ଡର ରଙ୍ଗ ଓ ଡିଜାଇନ୍ ବଦଳିବ। ଭାଗ ଚାଷୀଙ୍କୁ ଏମଏସପିର ଲାଭ ଓ ସିଏମ୍ କିଷାନ ଟଙ୍କା ମିଳିବ। ପୂର୍ବରୁ ପଂଚାୟତକୁ ମିଳିଥିବା ଟଙ୍କା ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ଫେରାଇ ନିଆଯିବ ନା ଖର୍ଚ୍ଚ ହେବ। ଏଭଳି ଅନେକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯାହା ସ୍ପଷ୍ଟିକରଣକୁ ଅପେକ୍ଷା କରିଛି।

Advertisment

ମୋହନ ସରକାରର ପ୍ରଥମ ବଜେଟରେ ବଦଳିଛି ଅନେକ ପୁରୁଣା ଯୋଜନାର ନାଁ। ସୁଭଦ୍ରା ଭଳି ନୂଆ ଯୋଜନା ଆଣି ସରକାର ଏହି ବଜେଟକୁ ଲୋକପ୍ରିୟ କରିବାକୁ ପ୍ରୟାସ କରିଛନ୍ତି। ତେବେ ଏହି ନାଁ ପରିବତ୍ତର୍ନ ଓ ନୂଆ ଯୋଜନା ଏବେ ହିତାଧିକାରୀଙ୍କୁ ଦ୍ବନ୍ଦ୍ବରେ ପକାଇଛି। ନୂଆ ଯୋଜନାର ସ୍ବରୂପ କଣ ହେବ ତାହା ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ନାଁ ପରିବର୍ତ୍ତନ ହୋଇଥିବା ଯୋଜନାରେ ହିତାଧିକାରୀ କଣ ଲାଭ ପାଇବେ ତାକୁ ନେଇ ତେଜିଛି ରାଜନୀତି।

ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବେ ବିଏସକେୱାଇର ସ୍ଥାନ ନେଇଛି। କିନ୍ତୁ
ହିତାଧିକାରୀ ପୁରୁଣା କାର୍ଡରେ ସୁବିଧା ପାଇବେ କି ନାହିଁ ଦ୍ବନ୍ଦ୍ବ ଉପୁଜିଛି
ବିଏସକେୱାଇ ଭଳି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆସ୍ୟୁରାନ୍ସ ଭଳି କାମ କରିବ କି?
ଉଭୟ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେଲେ, ହିତାଧିକାରୀ ଚୟନ କେମିତି ହେବ?
ଏମଏସପି ୩୧୦୦ ଟଙ୍କା ହୋଇଥିବା ବେଳେ ଏହାର ଲାଭ ଭାଗଚାଷୀ ପାଇବେ ତ?
ବିକଶିତ ଗାଁ ବିକଶିତ ଓଡ଼ିଶା ଆସିବା ପରେ ପୂର୍ବ ଯୋଜନାରେ ଆବଣ୍ଟିତ କାମ ବନ୍ଦ ହୋଇଯିବ କି?
ବଜେଟରେ ବ୍ୟୟବରାଦ ହୋଇଥିଲେ ମଧ୍ୟ ପଞ୍ଚାୟତ ପିଛା କେତେ ଟଙ୍କା ମିଳିବ ତାହା ଅସ୍ପଷ୍ଟ
ସିଏମ କିଷାନ ସହ ପିଏମ କିଷାନ ମିଶିବ କି?
ଉଭୟ ଯୋଜନାର ମିଶିଲେ କେତୋଟି କିସ୍ତିରେ କେତେ ଟଙ୍କା ମିଳିବ?
ଚଳିତ ବଜେଟରେ ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି।
ତେବେ ସୁଭଦ୍ରା ଯୋଜନାର ହିତାଧିକାରୀ କିଏ ହେବ ତାହା ଏବେ ବି ଅସ୍ପଷ୍ଟ?

ତେବେ ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ସୁଭଦ୍ରା ପାଇଁ ଏସଓପି ମଡେଲ ଆସିବ, ଅଗଷ୍ଟ ୧୫ ସୁଦ୍ଧା ସରିବ ପ୍ରସ୍ତୁତି। ଯୋଜନାର ନାଁ ପରିବର୍ତ୍ତନ ପରେ ସାଧାରଣ ଲୋକଙ୍କ ମନରେ ଉପୁଜିଥିବା ଦ୍ବନ୍ଦ୍ବ ଦୂର କରିବା ଏବେ ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ। ନଚେତ ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେବେ।