ଦିନକ ପରେ ଓଡ଼ିଶାରେ ଶପଥ ସମାରୋହ । ଏପର୍ଯ୍ୟନ୍ତ ଘୋଷଣା ହୋଇ ନାହିଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ଆଜି ବିଜେପି ବିଧାୟକ ଦଳର ବୈଠକ ।

1,228

କନକ ବ୍ୟୁରୋ: ନିର୍ବାଚନ ସରିଲା । ଫଳାଫଳ ଆସିଲା । ବିଜେପି ବହୁମତ ମଧ୍ୟ ପାଇଲା । ଆଉ ପୂର୍ବ ଘୋଷଣା ମୁତାବକ ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପଦ ଶପଥ ପାଇଁ ମଞ୍ଚ ବି ପ୍ରସ୍ତୁତି ପର୍ଯ୍ୟାୟରେ । କିନ୍ତୁ ଏଯାଏଁ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ତା’ ଉପରୁ ପରଦା ହଟିନାହିଁ । ଆଜି କାଲି କହି ଦିନ ଗଡ଼ି ଚାଲୁଛି । କିନ୍ତୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ କେବେ ଘୋଷଣା ହେବ, ତାକୁ ଚାତକ ପରି ଚାହିଁ ବସିଛନ୍ତି ରାଜ୍ୟବାସୀ ।

ଏହାରି ଭିତରେ ଆଜି ବିଧାୟକ ଦଳ ବୈଠକ ବସିବ । ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ମୋହର ବାଜିପାରେ । ପ୍ରଥମଥର ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସବୁଠାରୁ ଆଗରେ ଥିବା କୁହାଯାଉଛି । କିନ୍ତୁ ଏ ସଂକ୍ରାନ୍ତରେ ବିଧାୟକମାନେ କିଛି ସ୍ପଷ୍ଟ ସୂଚନା ଦେଇପାରୁନାହାନ୍ତି । ଯଦି ଧର୍ମେନ୍ଦ୍ରଙ୍କୁ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳେ, ତାହେଲେ ବିଧାୟକମାନଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା କେନ୍ଦ୍ରୀୟ ନେତୃତ୍ୱ ନେବେ । ଆଉ କୌଣସି ମୁହୂର୍ତ୍ତରେ ଦିଲ୍ଲୀରୁ କଲ୍ ଆସିପାରେ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି ।