ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁଙ୍କ ଘରେ ଆୟକର ବିଭାଗର ଚଢାଉକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ । କହିଲେ ଏଭଳି କଥା

224

କନକ ବ୍ୟୁରୋ: ଗତକାଲି ଚଳଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବାସଭବନରେ ଆୟକର ବିଭାଗ ଚଢାଉ କରିବା ପରେ ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଏହି କ୍ରମରେ ଆରଜେଡି ନେତା ତେଜସ୍ୱୀ ଯାଦବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି ପ୍ରଥମେ ଆଇଟି, ସିବିଆଇ ଓ ଇଡିକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବାକୁ ସରକାର ପ୍ରସ୍ତୁତ କରିଛନ୍ତି । ଏବେ ନାଜୀ ସରକାର ସାମାଜିକ କାର୍ଯ୍ୟକର୍ତ୍ତା, ସାମ୍ବାଦିକ ଓ କଳାକାରଙ୍କ ପଛରେ ପଡିଯାଇଛନ୍ତି । ଯାହା ନିନ୍ଦନୀୟ ବୋଲି ସେ କହିଛନ୍ତି ।

କହିରଖୁ କି ଚଳଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ମୁମ୍ବାଇ ଓ ପୁଣେ ସ୍ଥିତ ବାସଭବନରେ ଆୟକର ବିଭାଗର ଏକ ଟିମ୍ ଚଢାଉ କରିଛି । ସୂଚନା ମୁତାବକ ଟ୍ୟାକ୍ସ ଚୋରୀ ମାମଲାରେ ଏହି ଚଢାଉ କରାଯାଇଛି । ଆୟକର ବିଭାଗର ସୂଚନା ମୁତାବକ ଏନେଇ ୩୦ ଟି ସ୍ଥାନରେ ଚଢାଉ କରାଯାଇଛି । ଯାହାକି ଆୟକର ବିଭାଗ ଆଇନର ଅଧିନିୟମ ୧୩୨ ଅନୁଯାୟୀ କରାଯାଇଥିବା କୁହାଯାଇଛି ।

ଏହି ଚଢାଉକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି କି ଆୟକର ବିଭାଗକୁ ଯାହା ବିରୋଧରେ ସୂଚନା ମିଳିବ ସେ ଯାଂଚ କରିବ । ଏହାସହ ଏହି ମାମଲା କୋର୍ଟକୁ ଆସିବ । କହିରଖୁ କି ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁ ବିଭିନ୍ନ ସମୟରେ ସରକାରଙ୍କ ବିରୋଧରେ ମନ୍ତ୍ରବ୍ୟ ଦେଉଛନ୍ତି । ତେଣୁ ଉର୍ଦ୍ଦେଶ୍ୟମୂଳକ ଭାବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଭିନ୍ନ ବିରୋଧୀଦଳର ନେତାମାନେ ମତ ଦେଇଛନ୍ତି ।