କନକ ବ୍ୟୁରୋ : ଗୁଣାତ୍ମକ ଗବେଷଣା ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ନାକ୍ ଏ ପ୍ଲସ ସ୍ୱୀକୃତି । ଏହି ବିଜ୍ଞାପନ ଉପରେ ଟିକେ ନଜର ପକାନ୍ତୁ । ଇଏ, ବିଜ୍ଞାପନ ହେଉଛି ଗତ ବର୍ଷର । ଉକ୍ରଳ ବିଶ୍ୱବିଦ୍ୟାଳୟ ୮୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ସମୟରେ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲା ଏହି ବିଜ୍ଞାପନ ।

କିନ୍ତ ଚଳିତବର୍ଷ ନାକ୍ ର୍ୟାଙ୍କ ଏ ପ୍ଲସରୁ ଏ’କୁ ଖସି ଯିବା ପରେ ବଦଳିଯାଇଛି ବିଜ୍ଞାପନ । ଏଥର ବିଜ୍ଞାପନରେ ନାକ୍ ର୍ୟାଙ୍କ କଥା ଉଲ୍ଲେଖ ନାହିଁ, ବରଂ ଜାତୀୟ ର୍ୟାଙ୍କିଙ୍ଗରେ ଶ୍ରେଷ୍ଠ ଶହେ ଜଣଙ୍କ ଭିତରେ ରହିଥିବା ଡିଣ୍ଡିମ ପିଟୁଛି ଉକ୍ରଳ ବିଶ୍ୱବିଦ୍ୟାଳୟ । ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନରେ ଡିଜିଟାଇଲେଜେସନ ସମେତ ଗବେଷଣା ଓ ବିଦ୍ୟାର୍ଥୀ ବିନିମୟ କାର୍ଯ୍ୟକ୍ରମ ଉପରେ ବହୁ ଗୁରୁତ୍ୱ ଦିଆଯାଇଥିବା ବିଜ୍ଞାପନ କହୁଛି । ତେବେ ନାକ୍ ର୍ୟାଙ୍କ କାହିଁକି କମିଲା ସେନେଇ କୌଣସି ସ୍ପଷ୍ଟ ଉତର ଦେଇନାହାନ୍ତି କୁଳପତି ।

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ ଟିମ୍ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ଦେବା ପରେ ଏବେ ସଭିଙ୍କ ନଜର ଉକ୍ରଳ ବିଶ୍ୱବିଦ୍ୟାଳୟ ଉପରେ । ରାଜ୍ୟର ସର୍ବବୃହତ ଓ ସର୍ବପୁରାତନ ସରକାରୀ ବିଶ୍ୱବିଦ୍ୟାଳୟ, ଉକ୍ରଳ ବିଶ୍ୱବିଦ୍ୟାଳୟର ର୍ୟାଙ୍କ କାହିଁକି ଖସିଲା ସେନେଇ ଆରମ୍ଭ ହୋଇଗଲାଣି ତର୍କ ବିତର୍କ । ଏସବୁ ଭିତରେ ନାକ୍ର ଏକ ୫ ଜଣିଆ ଟିମ୍ ଅକ୍ଟୋବରରେ ଦ୍ୱିତୀୟ ଥର ପାଇଁ ନିକଟରେ ଉକ୍ରଳ ୟୁନିଭର୍ସିଟିରେ ଅନୁଧ୍ୟାନ କରି ଫେରିଛନ୍ତି । ରାଜ୍ୟପାଳ ଚିଠି ଲେଖିବା ପରେ ନାକ୍ ଟିମ୍ ପୁନର୍ବାର ଏହି ଅନୁଧ୍ୟାନ କରିଛନ୍ତି । ହେଲେ ଏହାର ରିପୋର୍ଟ ଏଯାଏଁ ଆସିନାହିଁ । ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ ଟିମ୍ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ଦେବା ପରେ ଅନେକ କହିଲେଣି ରେଭେନ୍ସାଠାରୁ ଶିଖୁ ଉକ୍ରଳ ବିଶ୍ୱବିଦ୍ୟାଳୟ ।

ଆଉ ଏହାରି ଭିତରେ ଉକ୍ରଳ ବିଶ୍ୱବିଦ୍ୟାଳୟ ପାଳନ କରୁଛି ୮୧ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପ୍ରେକ୍ଷାଳୟରେ ଲାଗିଥିବା ଏହି ବ୍ୟାନର ଅନେକଙ୍କୁ ଚକିତ କରୁଛି । ନାକ୍ ର୍ୟାଙ୍କ ଖସିବା ପରେ ବି ବ୍ୟାନରରେ ଲେଖାଯାଇଛି ନାକ୍ ଏ ପ୍ଲସ ।