ଖୋଲିବ କି ଝରାଫୁଲ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ରାକେଶକୁ ସାଙ୍ଗରେ ନେଇ ସିନ ରିକ୍ରିଏଟ କଲା ପୋଲିସ । କେମିତି ଆସିଥିଲେ ଗେଷ୍ଟହାଉସ, ଫାଷ୍ଟଫୁଡ ଦୋକାନ କିପରି ଗଲେ, ଡେମୋ କରିଦେଖାଇଲା ରାକେଶ 

2,796

କନକ ବ୍ୟୁରୋ : ସେହି ଠିକଣାକୁ ଅଭିଯୁକ୍ତ ରାକେଶ ସ୍ୱାଇଁକୁ କଢ଼େଇ ନେଉଛି ପୁଲିସ୍, ଯେଉଁଠି ବହୁ ଚର୍ଚ୍ଚିତ ଝରାଫୁଲ ନାୟକଙ୍କ ରହସ୍ୟ ଜନକ ଭାବେ ମୃତ୍ୟୁ ହୋଇଥିଲା । ଶିବସାଇ ଗେଷ୍ଟ ହାଉସ୍ । ରୁମ୍ ନମ୍ବର ୨୦୧ । ହୁଏତ, ଏମିତି ହାତ ଧରି ଝରାଫୁଲକୁ ଗେଷ୍ଟ ହାଉସ୍ ଭିତରକୁ ନେଇ ଯାଉଥିଲା ରାକେଶ, ଯେମିତି ଆଜି ପୁଲିସ୍ ଅଭିଯୁକ୍ତ ରାକେଶକୁ ଟାଣି ନେଇ ଯାଉଛି । ଆଉ ଏହା ପଛରେ ରହିଛି- ମୃତ୍ୟୁ ପଛର ରହସ୍ୟ ଖୋଲିବା ।

ଗେଷ୍ଟ ହାଉସ୍ରେ ସେଦିନ ଘଟିଥିଲା କ’ଣ?କେଉଁ ପରିସ୍ଥିତିରେ ହୋଇଥିଲା ଝରାଫୁଲଙ୍କ ମୃତ୍ୟୁ? ଏମିତି କିଛି ପ୍ରଶ୍ନର ଉତର ଖୋଲିବା ପାଇଁ ଧର୍ମବିହାର ସ୍ଥିତି ଶିବସାଇ ଗେଷ୍ଟ ହାଉସରେ ପହଂଚିଛି ପୁଲିସ୍ । ସାଥିରେ ଅଛି ଅଭିଯୁକ୍ତ ରାକେଶ ସ୍ୱାଇଁ । ୨୬ ତାରିଖ ରାତିରେ କେମିତି ଝରାଫୁଲକୁ ଧରି ଗେଷ୍ଟ ହାଉସକୁ ଆସିଥିଲା ରାକେଶ? ରୁମ୍ ନମ୍ବର ୨୦୧ରେ କ’ଣ ସବୁ ଘଟଣା ଘଟିଥିଲା, ପୁଲିସ୍ ଉପସ୍ଥିତିରେ ସେସବୁର ସନ୍ ରିକ୍ରେସନ୍ କରିଥିଲା ରାକେଶ । ଅନୁମାନ କରାଯାଉଛି, ରାକେଶର ଏହି ରିକ୍ରିଏସନ ପୁଲିସ ଝରାଫୁଲ ମୃତ୍ୟୁର କିଛି ଖିଅ ମିଳିପାରେ ।

କେବଳ ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସ୍ ନୁହେଁ, ସୁନ୍ଦରପଦାରେ ଥିବା ଅଭିଯୁକ୍ତର ଘର, ପୋଖରୀପୁଟ ସ୍ଥିତ ମଧୁସୁଦନ ପାର୍କ ଏବଂ ଲିଙ୍ଗରାଜ ଷ୍ଟେସନ୍ ପାଖରେ ଥିବା ସେହି ଫାଷ୍ଟଫୁଡ୍ ଦେକାନକୁ ଅଭିଯୁକ୍ତ ରାକେଶକୁ ନେଇ କେମିତି ସବୁ ଘଟଣା ଘଟିଥିଲା, ତାର ମଧ୍ୟ ସିନ୍ ରିକ୍ରିଏଟ୍ କରାଯାଇଥିଲା । ପାର୍କରେ କେମିତି ବୁଲିଥିଲେ? ଫାଷ୍ଟଫୁଡ୍ ଦୋକାନରେ କେମିତି ଖାଇଥିଲେ? ଏସବୁ କିଛି ପୁଲିସ୍ ଆଗରେ ଡେମୋ କରି ଦେଖାଇଥିଲା ଅଭିଯୁକ୍ତ ରାକେଶ ।

କିନ୍ତୁ ଏସବୁ ଭିତରେ ଯାଜପୁର ପୁଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି । ଝରାଫୁଲ ମୃତ୍ୟୁକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ହେଉଥିବା ବେଳେ ମୃତ୍ୟୁର କାରଣ ନେଇ ଏଯାଏଁ ପୁଲିସ୍ କୌଣସି ସନ୍ତୋଷଜନକ ଉତର ରଖିପାରିନାହିଁ । କେବଳ ସେତିକି ନୁହେଁ, କୁଆଡେ ଗଲା ଅଭିଯୁକ୍ତ ରାକେଶର ସହଯୋଗୀ? ଭୁବନେଶ୍ୱରରୁ ଯାଜପୁର ଯାଏଁ ଝରାଫୁଲକୁ ନେଇ ଯାଇଥିବା ସ୍କୁଟି ଗଲା କୁଆଡେ? ଝରାଫୁଲଙ୍କ ମୋବାଇଲ ଅଛି କେଉଁଠି? ଏବେ ଏହି ସବୁ ପ୍ରଶ୍ନର ଉତର ଯାଜପୁର ପୁଲିସ୍କୁ ସାରା ଓଡ଼ିଶା ଆଗରେ ଦେବାକୁ ପଡ଼ିବ ।