ବଢ଼ୁଛି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ : ସୁଶାନ୍ତଙ୍କ ପରିବାର ଓକିଲ କହିଲେ, ସହଯୋଗ କରୁ ନାହିଁ ମୁମ୍ବାଇ ପୋଲିସ୍, ସିବିଆଇ କରୁ ତଦନ୍ତ ; ସେପଟେ ଆଜି ସୁପ୍ରିମକୋର୍ଟରେ ହେବ ମାମଲାର ଶୁଣାଣି 

264

କନକ ବ୍ୟୁରୋ : ବଢ଼ୁଛି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ  । ସୁଶାନ୍ତଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ମୁମ୍ବାଇରେ ଯାଇ ତନାଘନା କରୁଛି ବିହାର ପୋଲିସ୍ । ହେଲେ ଏଥିରେ ମୁମ୍ବାଇ ପୋଲିସ ସହଯୋଗ କରୁନଥିବା ଅଭିଯୋଗ କରୁଛି ବିହାର ପୋଲିସ  । ମୃତ୍ୟୁ ରହସ୍ୟ ବଢ଼ିବଢ଼ି ଚାଲିଥିବାବେଳେ ସିବିଆଇ ଏହି ମାମଲାର ତଦନ୍ତ କରୁ ବୋଲି ଦାବି କରିଛନ୍ତି ସୁଶାନ୍ତଙ୍କ ପରିବାର ପକ୍ଷରୁ ଲଢ଼ୁଥିବା ଆଇନଜୀବୀ । ଅନ୍ୟପଟେ ରିଆ ଚକ୍ରବର୍ତି ବିରୋଧରେ ହୋଇଥିବା ଅଭିଯୋଗ ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ ।  ସେପଟେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦେଢମାସ ପରେ ତାଙ୍କ ବାପା କେକେ ସିଂ ଏକ ଭିଡିଓ ଜାରି କରି ନୂଆ ଖୁଲାସା କରିଛନ୍ତି । ସେ କହିଛନ୍ତି, ତାଙ୍କ ପୁଅ ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଗତ ଫେବ୍ରୁଆରୀ ୨୫ ତାରିଖରେ ମୁମ୍ବାଇର ବାନ୍ଦ୍ରା ପୋଲିସକୁ ଅବଗତ କରିଥିଲେ ।

ତେବେ ପୋଲିସ କିଛି ପଦକ୍ଷେପ ନେଇନଥିଲା । ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ପରେ ପରଦିନ ଅର୍ଥାତ୍ ୧୫ ଜୁନରେ ସେ ପୁଣିଥରେ ବାନ୍ଦ୍ରା ପୋଲିସକୁ ଫୋନ୍ କରିଥିଲେ । ପୋଲିସକୁ ଅନୁରୋଧ କରିଥିଲେ ଯେ, ୨୫ ଫେବ୍ରୁଆରୀରେ ସେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ତେବେ ସୁଶାନ୍ତଙ୍କ ମୃତ୍ୟୁର ୪୦ ଦିନ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଏହାପରେ ସେ ପାଟନା ଯାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପାଟନା ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସି ତଦନ୍ତ ଆରମ୍ଭ କରିଛି ହେଲେ ଅଭିଯୁକ୍ତ ଏବେ ଫେରାର ହୋଇଯାଇଥିବା ସୁଶାନ୍ତଙ୍କ ବାପା କେକେ ସିଂହ ଅଭିଯୋଗ କରିଛନ୍ତି ।