୪୮ ଘଣ୍ଟା ପରେ ବି ଖୋଲୁନି ରୁଚିକା ମୃତ୍ୟୁ ରହସ୍ୟ: ସୁଇସାଇଡ ନୋଟରେ ଥିବା ୩ ସିନିୟରଙ୍କୁ ଧରିବାରେ ବିଫଳ ପୋଲିସ

231

କନକ ବ୍ୟୁରୋ: ରୁଚିକାଙ୍କ ସୁଇସାଇଡ ନୋଟକୁ ଆଧାର କରି ତିନି ସିନିୟର କିଏ ତାଙ୍କୁ ଖୋଜୁଛି ପୋଲିସ୍ । କିନ୍ତୁ କିଏ ସେହି ସିନିୟର ଜଣା ନଥିବାରୁ ସେମାନଙ୍କ ନିକଟରେ ପହଁଚିବା ପାଇଁ ରୁଚିକା ରହୁଥିବା ହଷ୍ଟେଲକୁ ସିଲ କରାଯାଇଛି । ତଦନ୍ତ ନସରିବା ପର୍ଯ୍ୟନ୍ତ ଛାତ୍ରୀନିବାସରେ ରହୁଥିବା କୌଣସି ଛାତ୍ରୀ ହଷ୍ଟେଲ ଛାଡି ନଯିବାକୁ କୁହାଯାଇଛି । ସୂଚନା ଅନୁସାରେ ୧୩୪ ଅନ୍ତେବାସୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୬୦ରୁ ଅଧିକ ପିଲାଙ୍କ ବୟାନ ରେକର୍ଡ କରିଛି ତଦନ୍ତକାରୀ ଟିମ୍ । ଏଥିସହ ବିଜେପି କଲେଜ କର୍ତୁପକ୍ଷଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି ।

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଅତ୍ମହତ୍ୟାକୁ ଏହା ଭିତରେ ଦୁଇ ଦିନ ପୂରିଲାଣି, ହେଲେ, ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଁଚିପାରିନି ପୋଲିସ । ଏହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଅଭିଯୁକ୍ତମାନଙ୍କୁ ତୁରନ୍ତ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ପାଇଁ ଦାବି କରି କଲେଜ ସମ୍ମୁଖରେ ରୁଚିକାଙ୍କ ପରିବାର ପକ୍ଷରୁ ଧାରଣା ଦିଆଯାଇଛି । ତାଙ୍କୁ ସମର୍ଥନ କରି ତାଙ୍କ ଗାଁ ଲୋକ ବି ଧାରଣାରେ ସାମିଲ ହୋଇଛନ୍ତି ।

ରୁଚିକାଙ୍କ ପରିବାରକୁ ସମର୍ଥନ କରି ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି । ସେ ନୋ ଟୁ ରାଗିଂ, ୱି ୱାଂଟ ଜଷ୍ଟିସ ଫର ରୁଚିକା ମହାନ୍ତି ବ୍ୟାନର ଧରି ଧାରଣାରେ ବସିଛନ୍ତି ଛାତ୍ର ସଂଗଠନର ସଦସ୍ୟ ।

ଚାପ ବଢ଼ୁଥିବାବେଳେ ଘଟଣାର ସତ୍ୟାସତ ଜାଣିବା ପାଇଁ କଲେଜ ପକ୍ଷରୁ ୬ ଜଣିଆ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ତେବେ ରାଗିଂ ନେଇ ରୁଚିକା ପୂର୍ବରୁ ଅଭିଯୋଗ କରିନଥିଲେ ବୋଲି କହିଛନ୍ତି କଲେଜ ପ୍ରିନ୍ସିପାଲ । ଏଥିସହ ପରିସ୍ଥିତିକୁ ଦେଖି କଲେଜରେ ଦୁଇ ଦିନ ହେବାକୁ ଥିବା ଫାଇନାଲ ସେମିଷ୍ଟାର ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି । ରୁଚିକାଙ୍କୁ ଆତ୍ମହତ୍ୟା ପାଇଁ ଏକପ୍ରକାର ବାଧ୍ୟ କଲା ଭଳି ପରିସ୍ଥିତି ସୃଷ୍ଟି କରିଥିବା ସେହି ତିନି ସିନିୟର ଛାତ୍ରୀଙ୍କ ବିଷୟରେ କିଛି ସୁରାଗ ପାଇଥିବା ସୂଚନା ମିଳିଛି ।