କଟା ପାହାଡ଼ ଭିତରେ ସବୁଜ ପାଣିର ରହସ୍ୟ । ରାଜଧାନୀ ନିକଟରେ ପ୍ରକୃତିର ଅପୂର୍ବ ଶୋଭାରାଜି : ଲେହେ-ଲଦାଖ୍ ନୁହେଁ ଖୋର୍ଦ୍ଧାର ତାପଙ୍ଗରେ ଦେଖିବାକୁ ମିଳୁଛି ମନୋରୋମ ଦୃଶ୍ୟ

1,157

କନକ ବ୍ୟୁରୋ : ଏବେ ଆମେ ଆପଣଙ୍କୁ ଦେଖାଇବାକୁ ପ୍ରକୃତିର ଏମିତି ଏକ ଅପରୂପ ଶୋଭା ଯାହା ଆପଣଙ୍କୁ ଚକିତ କରିଦେବ । କାରଣ ଏହି ଦୃଶ୍ୟ ଏତେ ସତେଜ, ଏତେ ସୁନ୍ଦର କେବଳ ଦେଖିଲେ ହିଁ ଅନୁଭବ କରିହେବ । ଆଉ ଥରେ ଏହି ଦୃଶ୍ୟକୁ ଦେଖିଲେ ଆପଣ ନିଶ୍ଚିତ ମନବଳେଇବେ ପରିବାର ଲୋକଙ୍କ ସହିତ ବୁଲିଆସିବା ପାଇଁ ।

ଅଧାକଟା ପାହାଡ । ଆଉ ପାହାଡ ତଳେ ସବୁଜ ଜଳରାଶିରେ ପରିପୂର୍ଣ୍ଣ ଜଳାଶୟ । ଆପଣ ଏହି ଦୃଶ୍ୟକୁ ଦେଖିବା ପରେ ହୁଏତ ଭାବୁଥିଲେ ଏହା ଲେହ ଲଦାଖ ଅଂଚଳର । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଚର୍ଚ୍ଚାରେ ରହିଥିବା ପ୍ରକୃତିର ଏହି ଅପୂର୍ବ ଶୋଭାରାଜି ରହିଛି ଖୋର୍ଦ୍ଧା ସହର ଠାରୁ ଅଳ୍ପ ଦୂରରେ ଥିବା ନିଜିଗଡ ତାପଙ୍ଗରେ । ସବୁଜ ରଙ୍ଗର ଜଳରାଶି ସାଙ୍ଗକୁ ପାହାଡ ଉପରେ ସବୁଜ ବନାନି ଆକୃଷ୍ଟ କରୁଛି  ପର୍ଯ୍ୟଟକମାନଙ୍କୁ । ସୋସିଆଲ ମିଡିଆରେ ଏହି ଅପୂର୍ବ ଦୃଶ୍ୟ ଭାଇରାଲ ହେବା ପରେ ଏବେ ଏଠାକୁ  ପର୍ଯ୍ୟଟକଙ୍କ ସୂଅ ଛୁଟୁଛି ।

ଏହି ସ୍ଥାନ ପ୍ରଥମେ ପାହାଡ ମାଳରେ ପରିପୂର୍ଣ୍ଣ ଥିଲା । ପଥର ମାଫିଆମାନେ ଏତେ ପରିମାଣରେ ପଥ୍ର ବ୍ଲାଷ୍ଟ କଲେ ଯେ ପଥରରେ ପରିପୂର୍ଣ୍ଣ ସ୍ଥାନଟି ଖାଲ ହୋଇଗଲା । ଧୀରେ ଧୀରେ ପଥର ପଠା ବନ୍ଦ ହେବା ପରେ ବଢିଲା ଜଳସ୍ତର । ଏବେ ପ୍ରକୃତିରାଣୀ ଢାଳିଦେଇଛି ଅଫରୁପ ଶୋଭା । ସିନେମାର ଗୀତ, ଆଲବମ ଏବଂ ଫଟୋଗ୍ରାଫି ପାଇଁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଏଠାକୁ ଲୋକେ ଆସୁଛନ୍ତି । ଏହି ସ୍ଥାନ ବେଶ ବିପଦପୂର୍ଣ୍ଣ ହୋଇଥିବା ବେଳେ ଏଠାକୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ପ୍ରଶାସନ ପାଇଁ ଚ୍ୟାଲେଂଜ ହୋଇଛି ।