୭ ମାସ ପରେ ଖୋଲିଲା ଦିଗପହଣ୍ଡି ଯୁବତୀଙ୍କ ହତ୍ୟା ପଛର ରହସ୍ୟ । ଅସଦାଚରଣ ଉଦ୍ୟମ କରି ଫେଲ ମାରିବା ପରେ ପାଣିରେ ବୁଡାଇ ମାରିଥିଲା ଅଭିଯୁକ୍ତ । 

1,007

କନକ ବ୍ୟୁରୋ : ୭ମାସ ପରେ ଗଞ୍ଜାମ ଜିଲ୍ଲାର ଯୁବତୀଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ସେହି ଗାଁର ଜଣେ ଯୁବକ ଯୁବତୀଙ୍କୁ ପାଣିରେ ବୁଡାଇ ହତ୍ୟା କରିଥିବା ପୋଲିସ କହିଛି । ତେବେ ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ପୋଲିସ ପାଇଁ ହତ୍ୟାକାରୀକୁ ଧରିବା ସବୁଠାରୁ ବଡ ଚ୍ୟାଲେଂଜ ଥିଲା ।

ଗଂଜାମ ଜିଲ୍ଲା କେ ନୂଆ ଗାଁ ଥାନା ଅଂଚଳର ଯୁବତୀଙ୍କୁ ହତ୍ୟାର କାହାଣୀ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ଇଏ ହେଉଛି ସେହି ଅଭିଯୁକ୍ତ ମନୋଜ ବେହେରା ଯିଏ ପୋଲିସ ଆଗରେ ଖୋଲିଛି ହତ୍ୟା ପଛର ଗୁମର ।

ଘଟଣା ଘଟିଥିଲା ଏମିତି । ମେ ୧୦ ତାରିଖ । ସକାଳ ପ୍ରାୟ ୯ଟା । ମାଆଙ୍କ ସହ ବିଲକୁ ଯାଇଥିଲେ ପୀଡିତା । ବିଲରେ ମାଆଙ୍କୁ ଛାଡି ପାଖ ନଈକୁ ଗାଧୋଇବାକୁ ଯାଇଥିଲେ । ପିଡିତା ଗାଧୋଇବା ସମୟରେ ସବୁବେଳେ ଲୁଚିକରି ଦେଖୁଥିଲା ମନୋଜ । ସେଦିନ ବି ଲୁଚି କରି ସବୁ ଦେଖୁଥିଲା । ଯୁବତୀଙ୍କୁ ଏକୁଟିଆ ପାଇ ପ୍ରଥମେ ପାଣି ଭିତରେ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା ମନୋଜ । କିନ୍ତୁ ଯୁବତୀ ଜଣଙ୍କ ଏହାର ବିରୋଧ କରିବାରୁ ଅତି ନିର୍ମମ ଭାବେ ପାଣିରେ ବୁଡାଇ ମାରି ଦେଇଥିଲା ।

ଘଟଣାର ଦୀର୍ଘ ୭ମାସ ଧରି ତଦନ୍ତ ଚାଲିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ପାଖରେ ପହଂଚିପାରୁନଥିଲା । କାରଣ ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିଲେ । ପୋଲିସର କହିବାନୁସାରେ ଯୁବତୀଙ୍କୁ ସବୁଦିନ ପିଛା କରୁଥିଲା ମନୋଜ । ଏକଥା ଗାଁର କିଛି ଲୋକ ଏବଂ ପରିବାର ଲୋକଙ୍କ ଠାରୁ ଜାଣିବା ପରେ ମନୋଜ ଉପରେ ପୋଲିସର ସନ୍ଦେହ ବଢିଥିଲା ।

ଯୁବତୀଙ୍କୁ କେମିତି ପିଛା କରୁଥିଲା ମନୋଜ, ଗାଧୋଇବା ସମୟରେ କେମିତି ଲୁଚି କରିଦେଖୁଥିଲା, କେଉଁଠି ଲୁଚି କରି ଦେଖୁଥିଲା ଏବଂ ଅସଦାଚରଣ ଉଦ୍ୟମ ସହିତ କିପରି ହତ୍ୟା କଲା ତାର ଆଜି ଡେମୋ ଦେଖାଇଥିଲା ମନୋଜ । ୭ମାସର ବ୍ୟବଧାନ ପରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଉପରୁ ଶେଷରେ ପରଦା ହଟିଛି ।