ଗୁଜରାଟ ଅହମଦାବାଦରେ ରହସ୍ୟମୟ ମୋନୋଲିଥ । ସହରର ସିମ୍ପୋନୀ ପାର୍କରେ ହେଲା ଠାବ । ଏଲିଏନଙ୍କ ସହ ମୋନୋଲିଥର ସମ୍ପର୍କ ନେଇ ଅର୍ନ୍ତଜାତୀୟ ସ୍ତରରେ ଜାରି ରହିଛି ବିତର୍କ ।

1,441

କନକ ବ୍ୟୁରୋ : ମୋନୋଲିଥକୁ ନେଇ ସାରା ବିଶ୍ୱରେ ରହସ୍ୟ ଓ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଗୁଜରାଟରେ ଏପରି ଏକ ମୋନୋଲିଥ ଠାବ ହୋଇଛି । ଅହମଦାବାଦର ଏକ ପାର୍କରେ ଏହାକୁ ଦେଖିବାକୁ ମିଳିଛି । ତେବେ ଏହା କିପରି ଏଠାକୁ ଆସିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ୭ଫୁଟ ଉଚ୍ଚର ପ୍ରିଜାମେଟିକ ଫିଗର ମୋନାଲିଥ ଯାହା ବିଶ୍ୱର ୩୦ରୁ ଅଧିକ ସହରରେ ରହସ୍ୟ ହୋଇ ରହିଛି । ଏହା ଭାରତରେ ପ୍ରଥମ ଥର ପାଇଁ ଅହମଦାବାଦରେ ଦେଖିବାକୁ ମିଳିଛି । ଏପରିକି ଏହି ମୋନୋଲିଥ ଦେଖାଯାଇଥିବା ପାର୍କରେ କାମ କରୁଥିବା କର୍ମଚାରୀଙ୍କ ନିକଟରେ ମଧ୍ୟ ଏନେଇ କୌଣସି ଖବର ନଥିବା ସୂଚନା ମିଳିଛି ।

ଗୁରୁବାର ଦିନ ଅହମଦାବାଦର ସିମ୍ପୋନୀ ପାର୍କରେ ଏହା ଦେଖିବାକୁ ମିଳିଥିଲା । ଏହି ମୋନୋଲିଥର ଉଚ୍ଚତା ୭ଫୁଟ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହା କେମିତି ଏବଂ କେଉଁଠୁ ଆସିଲା ତାହା ଏବେବି ରହସ୍ୟରେ ରହିଛି । ପରଗ୍ରହର ଜୀବଙ୍କୁ ନେଇ ବିତର୍କ ଜାରି ରହିଥିବା ବେଳେ ମୋନୋଲିଥକୁ ନେଇ ମଧ୍ୟ ସବୁବେଳେ ବିତର୍କ ଚାଲିଛି । ଅନେକ ଏହି ମୋନୋଲିଥକୁ ପରଗ୍ରହର ଜୀବଙ୍କ ସହ ଯୋଡୁଥିବା ବେଳେ ଆଉ କିଛି ବିଶେଷଜ୍ଞ ଏହାକୁ ଖଣ୍ଡନ କରୁଛନ୍ତି । ସେପଟେ ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକଙ୍କ କହିବା କଥା ହେଲା ସିମ୍ପୋନୀ କମ୍ପାନୀ ପକ୍ଷରୁ ଏହାକୁ ସ୍ଥାପିତ କରାଯାଇପାରିଥାଏ ।

ଏଭଳି ମୋନୋଲିଥ ସର୍ବପ୍ରଥମେ ଉଟା, ଆମେରିକାରେ ଦେଖାଦେଇଥିଲା । ଏବଂ କିଛି ଦିନ ପରେ ଅଦୃଶ୍ୟ ମଧ୍ୟ ହୋଇଯାଇଥିଲା । ଏହା ସାରା ବିଶ୍ୱରେ ପ୍ରାୟ ୩୦ଟି ଦେଶରେ ଦେଖାଯାଇଛି ।