କଳାହାଣ୍ଡି ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଇନ୍ଦ୍ରାବତୀ ପ୍ରକଳ୍ପ ନିକଟରେ ହେବ ମ୍ୟୁଜିୟମ ଓ ପାର୍କ । ଟୋପାଏ ଜଳ ନଷ୍ଟ ନ କରିବାକୁ ଚାଷୀଙ୍କୁ କରାଇଲେ ସଂକଳ୍ପ

77

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ୫୪ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୫୨ ଟି ପ୍ରକଳ୍ପର ଶିଳାନ୍ୟାସ ସହ କଳାହାଣ୍ଡିବାସୀଙ୍କୁ ୨ ହଜାର ୮୫ କୋଟି ଟଙ୍କାର ୧୦୬ ଟି ପ୍ରକଳ୍ପର ଭେଟି ଦେଇଛନ୍ତି । ଏନେଇ ମଙ୍ଗଳପୁର ଠାରେ ଆୟୋଜିତ ଜନସମାବେଶରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିକାଶରେ ଶ୍ରେୟ ଇନ୍ଦ୍ରାବତୀ ନଦୀକୁ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଇନ୍ଦ୍ରାବତୀ ଏକ ନଦୀ ନୁହେଁ ଏହା ଆମର ମା ଓ କଳାହାଣ୍ଡିବାସୀଙ୍କ ଜୀବନ ରେଖା । ମା’ ଇନ୍ଦ୍ରାବତୀର ଅବଦାନକୁ ସମ୍ମାନ ଜଣାଇ ସେଠାରେ ଏକ ମ୍ୟୁଜିୟମ ଓ ପାର୍କ ନିମାଣ କରାଯିବା ସହ ପାର୍କ ମଧ୍ୟରେ ଇନ୍ଦ୍ରାବତୀଙ୍କ ମନ୍ଦିର ନିର୍ମାଣ କରାଯିବ ବୋଲି କଳାହାଣ୍ଡିବାସୀଙ୍କୁ କଥା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ତାଙ୍କ ଭାଷଣରେ କହିଥିଲେ କି ଇନ୍ଦ୍ରାବତୀ ମ୍ୟୁଜିୟମ କଳାହାଣ୍ଡିର ବିକାଶ କାହାଣୀ ସାରା ବିଶ୍ୱକୁ କହିବ ।
ଏହାସହ ଇନ୍ଦ୍ରବତୀ ନଦୀର ଟୋପାଏ ପାଣି ନଷ୍ଟ ନ କରି ତାହାକୁ କଳାହାଣ୍ଡିର ବିକାଶରେ ଲଗାଇବା ସହ ଆମର ଭବିଷ୍ୟତ ବଂଶଧରଙ୍କ ପାଇଁ ସଂରକ୍ଷିତ କରିବାକୁ ସେ ଚାଷୀଙ୍କୁ ଆହ୍ୱାନ ଦେଇଥିଲେ ।