ଏବେବି ରହସ୍ୟ ଘେରରେ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ: ଏସଆଇଟି ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ଫୋନ୍ ରେକର୍ଡିଂ

129

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଉତରାଖଣ୍ଡ ଅଙ୍କିତା ଭଣ୍ଡାରୀ ହତ୍ୟା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ମାମଲାର ତଦନ୍ତ କରୁଥିବା ଏସଆଇଟି ହାତରେ କିଛି ଫୋନ ରେକର୍ଡିଂ ଲାଗିଛି । ଏଥିରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ଓ ଅଙ୍କିତାଙ୍କ ବନ୍ଧୁ ପୁଷ୍ପ ମଧ୍ୟରେ କଥାବାର୍ତା ହୋଇଥିବା ମିଡିଆ ରିପୋର୍ଟରେ ଜଣାପଡ଼ିଛି । ଉଭୟେ ଅଙ୍କିତାଙ୍କ ବିଷୟରେ କିଛି କଥା ହୋଇଥିଲେ । ପୁଷ୍ପ ଯେତେବେଳେ ଅଙ୍କିତାଙ୍କ ବିଷୟରେ ପଚାରିଲେ, ପୁଲକିତ ଏହାକୁ ଏଡ଼ାଇ ଦେଇଥିଲେ । ଆଉ କହିଥିଲେ ଯେ ଅଙ୍କିତା ଆମ ସହ ବୁଲିବାକୁ ଯାଇଥିଲେ । ହେଲେ ଋଷିକେଶ ଦର୍ଶନ କରିବା ପରେ ସମସ୍ତେ ରିସର୍ଟ ଫେରିଆସିଥିବା ପୁଲକିତ କହିଥିଲେ । ରିସର୍ଟ ଫେରି ଅଙ୍କିତା ତାଙ୍କ ରୁମକୁ ଚାଲିଯାଇଥିବା ପୁଲକିତ କହିଥିଲେ ।

ସେପଟେ ଅଙ୍କିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ରିସର୍ଟକୁ ରାଜ୍ୟ ସରକାର ତରବରିଆ ଭାବେ ଭାଙ୍ଗିବାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ । ଅଙ୍କିତାଙ୍କ ବାପା ବୀରେନ୍ଦ୍ର ଭଣ୍ଡାରୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ସେଠାରେ କାମ କରୁଥିଲା ଏବଂ ସବୁ ପ୍ରମାଣ ସେଠାରେ ଥିଲା । ତେଣୁ ପ୍ରମାଣ ନଷ୍ଟ ପାଇଁ ଏହାକୁ ଭାଙ୍ଗି ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।

ସେପଟେ ଅଙ୍କିତାଙ୍କ ହତ୍ୟାକାଣ୍ଡକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଉତରାଖଣ୍ଡରେ ବିରୋଧୀ ଏବେ ରାଜ୍ୟରେ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଧାମି ସରକାରକୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ସିଧାସଳଖ ରାଜ୍ୟ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଇନ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କହିଛନ୍ତି, କିଛି ଘଟଣା ରାଜ୍ୟର ଛବି ଖରାପ କରିଛି । ଆଗକୁ କିପରି ଏଭଳି ଘଟଣାର ପୁନରାବୃତି ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କଥା ଦୋହରାଇଛନ୍ତି ।

ଅଙ୍କିତା ହତ୍ୟାକାଣ୍ଡରେ ବିଜେପିର ପୂର୍ବତନ ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ କରି ୧୪ ଦିନିଆ ରିମାଣ୍ଡରେ ନିଆଯାଇଛି । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ପାଣିରେ ବୁଡ଼ି ଅଙ୍କିତାଙ୍କ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ପୂର୍ବରୁ ତାଙ୍କ ଶରୀରରେ କିଛି କ୍ଷତ ଥିବା ମଧ୍ୟ ଜଣାପଡ଼ିଛି । ତେବେ ଜନତାଙ୍କ ଆକ୍ରୋଶ ଭିତରେ ଅଭିଯୁକ୍ତଙ୍କୁ କେତେ କଠୋର ଦଣ୍ଡ ମିଳୁଛି, ତାହା ଦେଖିବାକୁ ବାକି ରହିଲା ।