କନକ ବ୍ୟୁରୋ : ବାବାଜୀ ବେଶରେ ଲୁଚିଥିଲା ହତ୍ୟା ଅଭିଯୁକ୍ତ । ତିନି ବର୍ଷ ପରେ ହିନ୍ଦୋଳ ସତମାଇଲି ଅଞ୍ଚଳରୁ ଦୀପକ ମଲିକଙ୍କୁ ଗିରଫ କଲା ପୋଲିସ । କଟକ ବିଡାନାସୀ ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ରଚି ଖସିଯାଇଥିଲା । ଢେଙ୍କାନାଳ ହିନ୍ଦୋଳ କୁନୁଆଁ ଅଞ୍ଚଳରେ ନିଜକୁ ବାବାଜୀ ବେଶ କରାଇ ଲୁଚି ରହିଥିଲା । କଟକ ସ୍ପେଶାଲ ବ୍ରାଞ୍ଚ ପୋଲିସ ଚଢାଉ କରି ଦୀପକକୁ ଗିରଫ କରିଛି । ତେବେ କୁଖ୍ୟାତ ଅପରାଧୀ ଡି-ବ୍ରଦର୍ସ ସହଯୋଗୀ ହାଡିଆ ସହିତ ଗତ ୨୦୨୦ ମସିହାରେ ଦୀପକ ଓ ତାର ସାନ ଭାଇର କୌଣସି କାରଣରୁ ଝଗଡ଼ା ହୋଇଥିଲା । ଦୁଇ ଭାଇ ମିଶି ଗୋଡାଇ ଗୋଡାଇ ତାକୁ ହାଣିଥିଲେ । ଘଟଣାରେ ସାନ ଭାଇ ଗିରଫ ହୋଇ ଜେଲରେ ଥିବା ବେଳେ ବଡ଼ ଭାଇ ଫେରାର୍ ଥିଲା । ଗତ ତିନି ବର୍ଷ ମଧ୍ୟରେ ଦୀପକ ନିଜକୁ ସନ୍ୟାସୀ ସଜାଇ ରସୋଳ ଥାନା କୁନିଆ ଅଞ୍ଚଳରେ ନିଜକୁ ଭିନ୍ନ ପରିଚୟ ଦେଇ ରହିଥିଲା । ବିଭିନ୍ନ ଗାଁରେ ବୁଲି ଲୋକଙ୍କ ହାତ ଦେଖୁଥିଲା । ଲୋକେ ତାକୁ ସନ୍ୟାସୀ ଓ ସନ୍ଥ ଭାବି ସେବା କରୁଥିଲେ ।