କନକ ବ୍ୟୁରୋ: କିଏ ପରିବା ତୋଳିବାରେ ବ୍ୟସ୍ତ ତ କିଏ ଗଛରେ ସାର ଦେବାରେ ବ୍ୟସ୍ତ । ପୁଣି ଆଉ କିଏ ତୋଳା ହୋଇଥିବା ପରିବା ବଜାର ନେବାକୁ ପ୍ରସ୍ତୁତ କରିବାରେ ଲାଗିଛି । ପରିବା କ୍ଷେତରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ । ଅନ୍ୟ ଅଧିନରେ କାମ କରିବା ବଦଳରେ ନିଜ ଉଦ୍ୟମରେ ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଯୋଗାଇବା ଲକ୍ଷ୍ୟ ନେଇ ଚାଷ କାମରେ ଲାଗିପଡ଼ିଛନ୍ତି ସଫ୍ଟେଓର ଇଞ୍ଜିନିୟର ସତ୍ୟ ପ୍ରବିଣ । ରାୟଗଡା ଜିଲ୍ଲା ଆମଲାଭଟା ଗାଁର ସତ୍ୟ ପ୍ରବିଣ ପେଷାରେ ଜଣେ ସଫ୍ଟେଓର ଇଞ୍ଜିନିୟର । ଦୀର୍ଘ ୧୧ ବର୍ଷ ଧରି ମାଲେସିଆର ମାଲାଲାମପୁର ଠାରେ ଏକ ସଫ୍ଟୱେର କମ୍ପାନିରେ ମାସିକ ଦୁଇ ଲକ୍ଷ ଟଙ୍କା ବେତନରେ ସେ କାର୍ଯ୍ୟରତ ଥିଲେ । ଏବେ ନିଜେ ସ୍ୱାବଲମ୍ବୀ ହେବା ସହ ପ୍ରତ୍ୟେକ ଦିନ ପ୍ରାୟ ୪୦ ଜଣ ଯୁବକ ଯୁବତୀଙ୍କୁ ସତ୍ୟପ୍ରବୀଣ ରୋଜଗାର ଯୋଗାଉଛନ୍ତି । ସତ୍ୟ ପ୍ରବୀଣଙ୍କ ସହ କାମ କରି ରୋଜଗାର କରିବା ସହ ଖୁବ ଖୁସି ଅଛନ୍ତି କର୍ମଚାରୀ ।

Advertisment

ସତ୍ୟପ୍ରବୀଣ ଚାକିରି ଛାଡି ରାୟଗଡା ସଦର ବ୍ଳକ ଜିଞ୍ଜିଲିବାଡି ଗାଁ ନିକଟରେ ୩୫ ଏକର ଜମି ଲିଜ୍ ନେଇ ସେଠାରେ ଟମାଟୋ, କୋବି, ତରଭୂଜ ଆଦି ପରିବା ଚାଷ କରି ବେଶ ଲାଭବାନ ହୋଇଛନ୍ତି । ୟ୍ୟୁଟୁବରୁ ଶିଖି ନୂତନ ଜ୍ଞାନ କୈାଶଳ ପ୍ରୟୋଗରେ ଚାଷ କରି ବେଶ ଖୁଶି ଅଛନ୍ତି ସତ୍ୟ ପ୍ରବିଣ । ଏହା ସହ ଲେମନଗ୍ରାସ ଚାଷ ମଧ୍ୟ କରିଛନ୍ତି । ବାପାଙ୍କ ପରି ଜଣେ ସଫଳ ଚାଷୀ ହେବା ସହ ନୂତନ ଜ୍ଞାନ କୌଶଳ ଓ ଜୈବିକ ପଦ୍ଧତିରେ ଚାଷ କରିବା ସତ୍ୟ ପ୍ରବୀଣଙ୍କୁ ଆକୃଷ୍ଟ କରିଥିଲା । ପରେ ବାହାରୁ ଚାରା ମଗାଇ ଜମିରେ ଚାଷ କରିଛନ୍ତି ସତ୍ୟପ୍ରବୀଣ ।

ପେଷା ଛାଡ଼ି ନିଶାକୁ ପ୍ରାଧାନ୍ୟ ଦେଇଛନ୍ତି ସତ୍ୟପ୍ରବୀଣ । ଆଗକୁ ସରକାରଙ୍କ ପକ୍ଷରୁ ସହାୟତା ମିଳିଲେ ସେ ଅନେକ ପ୍ରକାର ଚାଷ କରିବା ସହ ଆହୁରି ଅଧିକ ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରିପାରିବେ ବୋଲି କହିଛନ୍ତି ଇଞ୍ଜିନିୟର ସତ୍ୟ ପ୍ରବିଣ ।