କନକ ବ୍ୟୁରୋ: ଅପପୁଷ୍ଟିକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ସରକାର ଅପବାଦ ମୁଣ୍ଡାଇବା ପରେ ଆରମ୍ଭ କରିବାକୁ ଯାଉଛନ୍ତି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ଯୋଜନାରେ ରାଜ୍ୟର
- ଗର୍ଭବତୀ, କିଶୋରୀ ଓ ଶିଶୁମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଓ ପୁଷ୍ଟି ଯୁକ୍ତ ଆହାର ଯୋଗାଇ ଦିଆଯିବ
- କିଶୋରୀଙ୍କୁ ଅଣ୍ଡା, ଲଡୁ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ
- କିଶୋରୀ ମେଳା ଆୟୋଜନ କରାଯିବା ସହ ସେମାନଙ୍କ ରକ୍ତହୀନତା ସ୍କ୍ରିନିଂ କରାଯିବ
- ଗର୍ଭବତୀ ମହିଳା ଓ ପ୍ରସୂତୀମାନଙ୍କୁ ଅତିରିକ୍ତ ରାସନ ଆକାରରେ ଅଣ୍ଡା, ମିଲେଟ୍ ଏବଂ ପୁଷ୍ଟିକର ଖାଦ୍ୟ ଦିଆଯିବ
- ୬ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ପୁଷ୍ଟିଯୁକ୍ତ ରନ୍ଧା ଖାଦ୍ୟ ଓ ଅଣ୍ଡା ପ୍ରଦାନ କରାଯିବ

Advertisment

ରାଜ୍ୟରୁ ଅପପୁଷ୍ଟି ରୋକିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଆରମ୍ଭ କରିବାକୁ ଯାଉଥିବାବେଳେ, ଏହାକୁ କଟାକ୍ଷ କରିଛି ବିଜେପି । ପୂର୍ବରୁ ବଣ୍ଟା ଯାଉଥିବା ଛତୁଆର ମାନକୁୂ ନେଇ ପ୍ରଶ୍ନ ଉଠାଇବା ସହ ଭ୍ରଷ୍ଟାଚାରକୁ ନରୋକିଲେ, ରାଜ୍ୟରୁ ଅପପୁଷ୍ଟି ହଟିବ ନାହିଁ ବୋଲି କହିଛନ୍ତି ବିଜେପି ନେତା । ତେବେ ବିଜେଡି ନେତା କହିଛନ୍ତି, ବିରୋଧୀଙ୍କ କାମ ବିରୋଧ କରିବା । ଏହି ଯୋଜନା ଦ୍ୱାରା ରାଜ୍ୟରୁ ଅପପୁଷ୍ଟି ସମସ୍ୟା କମିବ ।

ରାଜ୍ୟକୁ ଅପପୁଷ୍ଟି ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସତ୍ୱେ ବି, କେନ୍ଦୁଝର ଓ ଯାଜପୁର ସମେତ ବିଭିନ୍ନ ଅଂଚଳରେ ଏହାକୁ ରୋକିବା ସମ୍ଭବ ହୋଇପାରିନି । ଲୋକଙ୍କ ରୋଜଗାର ନଥିବାରୁ ଗ୍ରାମାଂଚଳର ବହୁ ସଂଖ୍ୟାରେ ଲୋକ ଓଳିଏ ଖାଇ ଓଳିଏ ଭୋକରେ ରହୁଥିବାର ଚିତ୍ର ବାରମ୍ବାର ଆସିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରି ଆସୁଛନ୍ତି ବିରୋଧୀ ।