ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲା। ମୁଖ୍ୟ ଅଭିଯୁକ୍ତ ଆତିକ୍ ଅହମ୍ମଦ ସମେତ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ।

305

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲାରେ ଆସିଲା ରାୟ । ମାଫିଆ ଆତିକ୍ ଅହମ୍ମଦ ସମେତ ୩ ଅଭିଯୁକ୍ତ ହନିଫ ଓ ଦିନେଶ ପାସିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏଥିସହ କୋର୍ଟ ୩ ଜଣଙ୍କ ଉପରେ ଲକ୍ଷେ ଟଙ୍କା ଲେଖାଁଏ ଜରିମାନା ଲଗାଇଛନ୍ତି । ୧୭ ବର୍ଷ ତଳର ପୁରୁଣା ମାମଲାରେ ପ୍ରୟାଗରାଜ ଏମପି-ଏମଏଲଏ କୋର୍ଟ ଏହି ରାୟ ଶୁଣାଇଛନ୍ତି । ମାମଲାରେ ୧୧ଜଣ ଅଭିଯୁକ୍ତ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇସାରିଛି । ବାକି ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ବାକି ୭ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରାଯାଇଛି । ସେମାନଙ୍କ ମଧ୍ୟରେ ଆତିକ୍ଙ୍କ ଭାଇ ଅସରଫ ଅହମ୍ମଦ ମଧ୍ୟ ରହିଥିଲେ ।

ଶୁଣାଣି ପାଇଁ କୋର୍ଟରେ ଅତିକ୍ ଅହମ୍ମଦ ଓ ତାର ଭାଇ ଖଲିଦ ଅହମ୍ମଦ ଓରଫ ଅସରିଫ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଉଭୟେ ଅଲଗା ଅଲଗା ଜେଲରେ ଥିବା ବେଳେ ଏଥିପାଇଁ ଉଭୟ କୋର୍ଟ ଓ ଜେଲ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୨୦୦୫ରେ ବହୁଜନ ସମାଜବାଦୀ ପାର୍ଟିର ତକ୍ରାଳୀନ ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା, ଯାହାର ସାକ୍ଷୀ ଥିଲେ ଉମେଶ ପାଲ । ୨୦୦୬ ଫେବ୍ରୁୟାରୀ ୨୪ ତାରିଖରେ ଉମେଶ ପାଲ ଓ ତାଙ୍କ ସୁରକ୍ଷାରେ ନିୟୋଜିତ ୨ଜଣ ପୋଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପରେ ଉମେଶ ପାଲଙ୍କ ପତ୍ନୀ ଜୟାଙ୍କ ଅଭିଯୋଗ ଆଧାରରେ ମାଫିଆ ଅତିକ ଅହମ୍ମଦ, ତାର ଭାଇ ଅସରଫଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ନିକଟରେ ଉମେଶ ପାଲଙ୍କୁ ମଧ୍ୟ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କରାଯାଇଥିଲା । ଯାହା ଉପରେ ୟୁପି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ।