ମାଟିରେ ମିଶିବାକୁ ବସିଛି ଶୁକପାଇକା ନଦୀ ମୁହାଁଣ : ମୁହାଁଣ ଯୋଗୁଁ ଜୀବିକା ହରାଇଲେ ସ୍ଥାନୀୟ ଲୋକ ; ଜବାବ ତଲବ ପରେ ସ୍ଥିତି ସମୀକ୍ଷା କଲେ କଟକ ଜିଲ୍ଲାପାଳ 

99

କନକ ବ୍ୟୁରୋ : ମାଟିରେ ମିଶିଯିବାକୁ ବସିଛି ନଦୀ ମୁହାଁଣ ।  ଦୀର୍ଘଦିନ ଧରି ମୁହାଣ ବନ୍ଦ ଯୋଗୁଁ ଜୀବିକା ହରାଇଛନ୍ତି ସ୍ଥାନୀୟ ଲୋକେ ।  କଟକ କିଶନନଗର ତହସିଲ ଅନ୍ତର୍ଗତ ମହାନଦୀର ଶାଖାନଦୀ ଶୁକପାଇକା ମୁହାଁଣ ଦୀର୍ଘଦିନ ଧରି  ଅବରୋଧ ଯୋଗୁଁ ବନ୍ଦ ହୋଇଯାଇଛି । ମୁହାଁଣ ବନ୍ଦ ହେବା ଫଳରେ ନଦୀରେ ଦଳ ମାଡିଯାଇଛି ।  ନଦୀ ଅବବାହିକା ପୋତି ହୋଇଯିବାରୁ  ଜମି ମାଫିଆ ଏହି ଜାଗାକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଛି ।

ତେବେ ଶୁକପାଇକାର ପୁନରୁଦ୍ଧାର ପାଇଁ ବିଭିନ୍ନ ସମୟରେ ଦାବି ଉଠାଇଛନ୍ତି ସ୍ଥାନୀୟ ଲୋକେ  । ରାଜ୍ୟ ମାନବାଧିକାର କମିଶନ ନିକଟରେ ମାମଲା ବି ରୁଜୁ ହୋଇଛି ।  ଆବେଦନକୁ ଗ୍ରହଣ  କରି କମିଶନ  ରାଜ୍ୟ ପରିବେଶ ବିଭାଗ, କିଶନନଗର ତହସିଲଦାର ଓ କଟକ ଜିଲ୍ଲାପାଳଙ୍କୁ ଜବାବ ତଲବ କରିଛନ୍ତି । ପୂର୍ବରୁ ଶୁକପାଇକାର ପୁନରୁଦ୍ଧାର ପାଇଁ ଅଂଚଳବାସୀ  ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଥିଲେ ।  ଏହାପରେ କଟକ ଜିଲ୍ଲାପାଳ  ଏହି ଅଂଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । ତେବେ ସ୍ଥାନୀୟ ତହସିଲଦାର କହିଛନ୍ତି,  ଲୋକଙ୍କ ସମସ୍ୟା ବୁଝି  ଏ ସମ୍ପର୍କରେ  ପଦକ୍ଷେପ ନିଆଯିବ ।