ଓଡିଶାର ହକିପ୍ରେମୀଙ୍କ ପାଇଁ ଖୁସି ଖବର । ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ଓଡିଆ ଭାଷାର ସିନେମା ‘ଦ ମାଉଣ୍ଟେନ ମ୍ୟାନ’ ।

209

କନକ ବ୍ୟୁରୋ: ଓଡିଶାର ହକିପ୍ରେମୀଙ୍କ ପାଇଁ ଭଲ ଖବର , ତା ସହ ଓଡିଆ ଫିଲ୍ମ ଜଗତ ପାଇଁ  ମଧ୍ୟ ଏକ ଖୁସିର ଖବର  । କାରଣ ଓଡିଶା ତଥା ଓଡିଆ ଭାଷାର ପ୍ରଥମ ସିନେମା ଭାବରେ ‘ଦ ମାଉଣ୍ଟେନ ମ୍ୟାନ’ ଓଟିିଟି ପ୍ଲାଟଫର୍ମରେ ଶୁକ୍ରବାର ରିଲିଜ ହୋଇଛି । ଏହି ସିନେମାଟି ଡିଜିନି ପ୍ଲସ୍ ହଟଷ୍ଟାର ଓଟିିଟି ପ୍ଲାଟଫର୍ମରେ ରିଲିଜ ହୋଇଛିି ।

୨୦୧୮ରେ ଓଡିଶାରେ ହକି ବିଶ୍ୱକପ୍ ଅନୁଷ୍ଠିତ ହୋଇଥିଲା ଏବଂ ଏହି ବିଶ୍ୱକପ ପରେ ଓଡିଆ ଫିଲ୍ମ ନିର୍ମାତା ଏପରି ଏକ ସିନେମା ତିଆରି କରିବାର ଯୋଜନା କରିଥିଲେ । ଜଣେ ବ୍ୟକ୍ତି ପାହାଡ ଉପରେ ୪୦୦ରୁ ଅଧିକ ଝିଅଙ୍କୁ କିପରି ହକି ଖେଳ ଶିଖାଉଛନ୍ତି, ତାଙ୍କୁ ସାଧାରଣ ଜୀବନ ସହ ହକି ଖେଳର ସାମଞ୍ଜସ୍ୟକୁ ବୁଝାଇ କିପରି ଅନୁପ୍ରାଣିତ କରୁଛନ୍ତି ତାହାରି ଉପରେ ଆଧାରିତ ହୋଇଛି ଏହି ସିନେମାଟି । ଏହି ସିନେମାରେ ଜଣେ କୋଚଙ୍କ କାହାଣୀ ରହିଛି  । କିପରି ଜଣେ ବ୍ୟକ୍ତି ତାଙ୍କ ସାରା ଜୀବନକୁ ହକି ପ୍ରତି ଉତ୍ସର୍ଗିକୃତ କରିଛନ୍ତି ଆଉ ୪୦୦ ଜଣ ଆଦିବାସୀ ଝିଅଙ୍କୁ ବିନା କୌଣସି ସାଧନରେ ହକି ଶିଖାଉଛନ୍ତି ତାହା ଏହି ସିନେମାରେ ରହିଛି ।

ଏହି ଫିଲ୍ମରେ ଓଡିଶାର ହକି ଇତିହାସ ସହ ୨୦୧୮ର ହକି ବିଶ୍ୱକପର ଅନେକ ଝଲକ ଦେଖିବାକୁ ମିଳିଛି । ଓଡିଆ ଭାଷାରେ ଆଧାରିତ ପ୍ରଥମ ସିନେମା ଡିଜନି ପ୍ଲସ୍ ହଟଷ୍ଟାରରେ ରିଲିଜ ହୋଇଥିବାରୁ ଓଡିଆ ଦର୍ଶକ ଅନେକ ଖୁସି ଥିବାର କଥା ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଜଣାପଡିଛି  । ହକିକୁ ନେଇ ଭାରତରେ ଏହା ଚତୁର୍ଥ ସିନେମା । ଏହା ପୂର୍ବରୁ ଚକ ଦେ ଇଣ୍ଡିଆ, ସୁରମା, ଗୋଲ୍ଡ ହକି ଉପରେ ଆଧାରିତ ଫିଲ୍ମ ଅଛି । ଏହି ଫିଲ୍ମଟି କରୋନା ସମୟରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବାରୁ ପ୍ରଯୋଜକ ସିନେମାକୁ ନେଇ ଅନେକ ଆଶାବାଦୀ ରହିଛନ୍ତି ।