ଜନ୍ମ କଲା ମାଆ ଫିଙ୍ଗି ଦେଇଥିଲା, ଏବେ ଅନ୍ୟ ଜଣେ ମାଆର କ୍ଷୀର ଉପରେ ଭରସା କରିଛି କୁନି

1,005

କନକ ବ୍ୟୁରୋ: କୁନି ଏବେ ସୁସ୍ଥ ଅଛି, ଖୀର ପିଇବା ଆରମ୍ଭ କଲାଣି । ଦିନେ ଦୁଇ ଦିନ ପରେ ତାକୁ ଖାଦ୍ୟ ମଧ୍ୟ ଦିଆଯିବ । ହେଲେ ଏହି ହତଭାଗା ଝିଅ ଭାଗ୍ୟରେ ଜୁଟିନି ଜନ୍ମକଲା ମା’ର କ୍ଷୀର । ପର ମା’ର କ୍ଷୀର ଆଣି କୁନିକୁ ଦେବାକୁ ଯୋଜନା କରୁଛି ଭିମସାରର ଡାକ୍ତରୀ ଟିମ୍ ।

କଅଁଳା ଛୁଆଟିଏ । ମା’ ପର କରିଦେଲା, ଭାଗ୍ୟ ବୋଲୱେଲକୁ ଠେଲିଦେଲା । ହେଲେ, ଯିଏ ଆୟୁଷ ନେଇ ଆସିଛି, ତା ଦେହରେ କିଏ ବା’ ଆଘାତ ଦେଇଥାନ୍ତା । ଉଦ୍ଧାରକାରୀ ଦଳର ଦେବଦୂତ ହୋଇ ଆସିଲେନି ଯେ, ନୂଆ ଜୀବନ ଦେଇଗଲେ । ହେଲେ କେତେ ହତଭାଗା କୁନି ଦେଖନ୍ତୁ । ହୁଏତ ମା’ ବିଂଚିଛି, ଝିଅ ବି ବଂଚିଛି । ହେଲେ ଡାକ୍ତର କୁନିକୁ ପରର ମା’ର କ୍ଷୀର ଦେବାକୁ ଯୋଜନା କରୁଛନ୍ତି । କାରଣ, ପ୍ରକୃତ ମା’ ପର କରି ଦେଇଛି ।

କୁନିକୁ ଉଦ୍ଧାର କରିଥିବା ଉଦ୍ଧାରକାରୀ ଦଳକୁ କେବଳ ଧନ୍ୟବାଦ ଦେଲେ ହୁଏତ ଅନ୍ୟାୟ ହୋଇଯିବ । କାରଣ, କୁନିକୁ ସୁସ୍ଥ କରିବା ପାଇଁ ଦିନରାତି ଏକ କରିଦେଇଥିବା ସେଇ ଡାକ୍ତରୀ ଟିମ୍କୁ ମଧ୍ୟ ସାଧୁବାଦ । କାରଣ ତାଙ୍କ ଉଦ୍ୟମ ଯୋଗୁଁ କୁନି ଏବେ ସୁସ୍ଥ । କ୍ଷୀର ଖାଇଲାଣୀ, ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି । କୁନିକୁ ଆଉ କଟକ ଶିଶୁଭବନ ନେବାକୁ ହୁଏତ ଦରକାର ପଡ଼ିନପାରେ । ଜିଲ୍ଳା ପ୍ରଶାସନ ମଧ୍ୟ ଝିଅର ଚିକିତ୍ସା ଉପରେ ନଜର ରଖିଛି ।

ଏପଟେ କୁନି ଝିଅର ପରିଚୟ ଖୋଜିବା ପାଇଁ ଉଦ୍ୟମ ଜାରି ରଖିଛି ସମ୍ବଲପୁର ପୁଲିସ୍ । ଏକ ଟିମ୍ ଗଠନ କରି ଆଖପାଖ ଗାଁରେ ଖୋଳତାଡ଼ କରୁଛି, ଆଶା କର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀଙ୍କ ସହାୟତା ଲୋଡ଼ା ଯାଉଛି । ଅଭିଯୁକ୍ତକୁ ଧରିବା ପ୍ରଥମିକତା ଥିବା ବେଳେ ଆବଶ୍ୟକ ପଡ଼ିଲେ ଡିଏନଏ ପରୀକ୍ଷା କରାଯିବ ବୋଲି ପୁଲିସ୍ କହିଛି ।