କଥା ମାନିଲେନି ବୋଲି… ମା’କୁ ପାଚିକା ପଦରୁ ହଟାଇଲେ, ପୁଅକୁ ନିର୍ଦ୍ଦୁମ ପିଟିଲେ ପ୍ରଧାନ ଶିକ୍ଷକ

1,266

କନକ ବ୍ୟୁରୋ: ସ୍ୱାମୀ ଚାଲିଯିବା ପରେ ବଂଚିବା ପାଇଁ ସଂଘର୍ଷ କରୁଥିବା ମହିଳା ଜଣଙ୍କ ବାରିମୂଳ ସ୍କୁଲରେ ପାଚିକା ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ । ହେଲେ, ତାଙ୍କୁ ପାରିଶ୍ରମିକ ଦେବା ପାଇଁ କୁଆଡେ ଲାଂଚ ମାଗିଥିଲେ ସ୍କୁଲର ପ୍ରଧାନଶିକ୍ଷକ ଖଗେଶ୍ୱର ନାଥ ଓ କମିଟିର ସଦସ୍ୟ । ଆଉ ଲାଂଚ ଦେବାକୁ ଅସହାୟ ମହିଳା ଜଣଙ୍କ ରାଜି ବି ହୋଇଯାଇଥିଲେ । କିନ୍ତୁ, ସେମାନଙ୍କର ଟଙ୍କାରେ ମତଲବ ନଥିଲା । ରହିଥିଲା ଖରାପ ଉଦେଶ୍ୟ । ମହିଳା ଜଣଙ୍କୁ ବିଇଓ ଅଫିସର ଜଣେ କର୍ମଚାରୀଙ୍କ ବାସଭବନକୁ ଯିବାକୁ କହିଥିଲେ । ରାଜି ନହେବାରୁ କିଛି ଦିନ ପରେ ନାଁ କଟିଯାଇଥିବା କହି ଆଉ ନଆସିବାକୁ କହିଥିଲେ ।

ଏତିକିରେ ପ୍ରଧାନଶିକ୍ଷକଙ୍କ ମନ ବୁଝି ନଥିଲା । ସେହି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ମହିଳାଙ୍କ ପୁଅକୁ ନିର୍ଯାତନା ଦେଇଥିଲେ । କଥା କଥାକେ ମାଡ ମାରିଥିଲେ । ଶେଷରେ ଶନିବାର ଦିନ ଏକ ଛୋଟ କଥାକୁ ନେଇ ପିଲାଟିକୁ ନିସ୍ତୁକ ପିଟିଥିଲେ । କେବଳ ମାଡ ନୁହେଁ ଶେଷରେ ପିଲାଟିକୁ ଟିସି ଦେଇ ସ୍କୁଲରୁ ବାହାର କରି ଦେଇଛନ୍ତିି ପ୍ରଧାନଶିକ୍ଷକ । ଏନେଇ ତାଙ୍କ ମା ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ ଗାଳି ଗୁଲଜ କରିଥିଲେ । ଏନେଇ କେନ୍ଦ୍ରାପଡା ସଦର ଥାନାରେ ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି ।

ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରାଯାଇଥିବାବେଳେ ଓ ସରକାର ମହିଳା ସଶକ୍ତିକରଣ କଥା କହୁଥିବାବେଳେ କେନ୍ଦ୍ରାପଡାର ଏହି ଘଟଣା ଶିକ୍ଷା ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ଛିଡା କରିଛି ।