୨ ଝିଅଙ୍କୁ ବିଷ ଦେଇ ନିଜେ ବିଷ ପିଇଦେଲା ମାଆ । ପଢନ୍ତୁ, କାହିଁକି ଏପରି ଚରମ ନିଷ୍ପତ୍ତି ନେଲା ଜଣେ ମା’

168

କନକ ବ୍ୟୁରୋ: ଆର୍ଥିକ ଅନାଟନ ଭିତରେ ଜଣେ ମାଆ ନେଇଛି ଚରମ ନିଷ୍ପତ୍ତି । ନିଜେ ବିଷ ପିଇବା ସହ ଦୁଇ ଝିଅଙ୍କୁ ବିଷ ପିଆଇ ଦେଇଛି ମାଆ ଆଉ ଜୀବନ ଯନ୍ତ୍ରଣା ଭିତରେ ମା’ର ମୃତ୍ୟୁ ହୋଇଥିବା ବେଳେ ଦୁଇ କୁନି ଝିଅ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୟୂରଭଞ୍ଜ ଜିଲ୍ଲା ଶରତ ଥାନାରୁ ଆସିଛି ଏଭଳି ଅଭାବନୀୟ ଘଟଣା ।

ତେବେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ଦୁଇ କୁନି ଝିଅ । ଆଉ ଏହି ନିଷ୍ପାପ ଶିଶୁଙ୍କୁ ତାଙ୍କ ଜନ୍ମକଲା ମାଆ ବିଷ ପିଆଇ ଦେଇଛି ଆଉ ନିଜେ ବିଷ ପିଇ ମୃତ୍ୟୁ ବରଣ କରିଛି । ଆର୍ଥିକ ଅନଟନ ଭିତରେ ଝିଅଙ୍କ ମୁହଁରେ ଦାନା ଦେଇ ନପାରି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଲାବଣ୍ୟଦେଇପୁର ଗାଁର ପୂର୍ଣ୍ଣିମା ସିଂ ।
ପୂର୍ଣ୍ଣିମାଙ୍କ ସ୍ୱାମୀ ଗୁଜୁରାଟରେ ଦାଦନ ଖଟି ପରିବାର ଚଳାଉଥିଲେ । ହେଲେ ସେ ଏବେ କରୋନା ଯୋଗୁଁ ଘରକୁ ଫେରି ଆସିଛନ୍ତି । ଗାଁରେ ବି କାମ ଧନ୍ଦା ନାହିଁ । ତେଣୁ ଆର୍ଥିକ ଅନଟନ ଲାଗି ରହିଛି, ପିଲାଙ୍କୁ ଦାନା ଗଣ୍ଡାଏ ଦେବା କଷ୍ଟକର ହୋଇପଡିଛି । ତେଣୁ ପିଲାଙ୍କୁ ଖାଇବାକୁ ଦେଇ ନପାରିବାରୁ ଜୀବନରୁ ମାରି ଦେବାକୁ ନିଷ୍ପତ୍ତି ନେଇଥିଲେ ପୂର୍ଣ୍ଣିମା । ତେବେ ଶରତ ଥାନା ପୁଲିସ ଏହି ଘଟଣାର ତଦନ୍ତ କରୁଛି ।

ଲାବଣ୍ୟଦେଇପୁର ଗାଁର ତୁରାମ ସିଂଙ୍କ ସ୍ତ୍ରୀ ପୂର୍ଣ୍ଣିମା ଗତ ବୁଧବାର ଦିନ ଦୁଇ ଝିଅଙ୍କୁ ବିଷ ପିଆଇ ନିଜେ ବିଷ ପିଇଥିଲେ । ମାଆ-ଝିଅଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଉଦଳା ଏବଂ ପରେ ବାରିପଦା ପିଆରଏମେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ପୂର୍ଣ୍ଣିମାଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଛି । ଏମାନଙ୍କ ଜୀବନ ପ୍ରତି ବିପଦ ନଥିବା ଡାକ୍ତର କହିଛନ୍ତି ।