କନକ ବ୍ୟୁରୋ : ମାଆ ବିଷୟରେ କଣ ବା କୁହାଯାଇପାରିବ, ମାଆ ବିଷୟରେ ଯେତେ କହିଲେ ଯେତେ ଲଖିଲେ ବି କମ୍ ହେବ । ଦରକାର ପଡିଲେ ପିଲାଙ୍କ ପାଇଁ ମାଆ ଜୀବନ ଦେଇପାରେ ଏକଥା ଆମେ ଶୁଣିଛେ ଏବଂ ଦେଖିଛେ ମଧ୍ୟ । ଠିକ୍ ସେହିଭଳି ଏକ ଖବର ଆଜି ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣଙ୍କ ଆଖିବି ଓଦା ହୋଇଯିବ ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓର କ୍ୟାପସନରେ ଲେଖା ହୋଇଛି ‘ମା ଏବେ ତୁ ଶାନ୍ତିରେ ଆରାମ କର, ତତେ ଆଉ କେହି ହରାଇପାରିବେ ନାହିଁ’ । ଏହି କ୍ୟାପ୍ସନଟି ଜଣେ ଝିଅ ତା ମାଆର ଶେଷ ଭିଡିଓ ସେୟାର କରି ଲେଖିଛି । ଶେଷ ଥର ପାଇଁ ମାଆ ତା ଝିଅ ପାଇଁ ଖାଇବା ବନାଇଛି ଆଉ ଖାଇବା ବନାଇବା ପରେ ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଯାଇଛି ।
ଉତ୍ତର ପୂର୍ବ ଚୀନର ‘ଟ୍ରେଣ୍ଡ’ ନାମକ ଜଣେ ୨୦ ବର୍ଷିଆ ଯୁବତୀ ତାଙ୍କ କ୍ୟାନ୍ସର ପୀଡିତ ମାଆଙ୍କ ଖାଇବା ବନାଇବା ବେଳେର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମାଆର ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଟ୍ରେଣ୍ଡ ଏହି ଭିଡିଓ ସୁଟ୍ କରିଥିବା ଜଣାପଡିଛି । ଭିଡିଓରେ ଦେଖାଯାଇଛି, ଟ୍ରେଣ୍ଡଙ୍କ ମାଆ ଜୀବନର ଶେଷ ମୁହୁର୍ତ୍ତରେ ତାଙ୍କ ଝିଅଙ୍କ ପାଇଁ ଖାଇବା ତିଆରି କରୁଛନ୍ତି । ଛିଡା ହେବା ପାଇଁ ଶୀରରେ ଆଉ କ୍ଷମତା ନଥିଲେ ବି କିଚେନକୁ ଯାଇ ଝିଅ ପାଇଁ ଖାଇବା ବନାଇଛନ୍ତି । ଆଉ ସେହି ସମୟର ଦୃଶ୍ୟ ଏବେ ସମସ୍ତଙ୍କୁ ଭାବବିହଳ କରିଦେଇଛି ।
ତେବେ ଏନେଇ ଟ୍ରେଣ୍ଡ କହନ୍ତି, ମୋ ମାଆ ବହୁତ ମଜବୁତ ଥିଲେ । ଚଳିତ ବର୍ଷ ଫେବ୍ରୁୟାରୀରେ ତାଙ୍କୁ କ୍ୟାନ୍ସର ହୋଇଥିବା ଜଣାପଡିଥିଲା । କିନ୍ତୁ ମାଆ କାହାକୁ ଏ ବାବଦରେ ଜଣାଇନଥିଲେ, ସେ ଭାବୁଥିଲେ ଏକଥା ଜାଣିବା ପରେ ଆମେ ଭାଙ୍ଗିପଡିବୁ । ତେଣୁ ସେ କାହାକୁ କିଛି କହୁନଥିଲେ । ତୃତୀୟ କେମୋଥେରାପି ପରେ ଗୋଟେ ଦିନ ମାଆ ଆସି ମତେ ପଚାରିଥିଲେ, ତୁ କଣ ଖାଇବାକୁ ଚାହୁଁଛୁ? ଏହାପରେ ମାଆ ତାଙ୍କୁ ବଜାରକୁ ନେଇଯିବା ପାଇଁ କହିଲେ । ବଜାରରୁ ନିଜେ ଗ୍ରୋସରୀ ସାମଗ୍ରୀ ଆଣିଲେ ଆଉ ଖାଇବା ବନାଇବା ପାଇଁ ରୋଷେଇ ଘରକୁ ଚାଲିଗଲେ । ରୋଷେଇ ଘରେ ମାଆ ଖାଇବା ବନାଉଥିଲେ, ଆଉ ମୁଁ ଲିଭିଂ ରୁମରେ ବସି ମାକୁ ଚାହିଁଥାଏ । ପୂର୍ବ ଅପେକ୍ଷା ମାଆ ବହୁତ ଦୁର୍ବଳ ହୋଇଯାଇଥିଲା, ରୋଷେଇ କଲା ବେଳେ ଜୋରେ ଜୋରେ ନିଶ୍ୱାସ ପ୍ରଶ୍ୱାସ ନେଉଥିଲା । ତଥାବି ମୋ ପାଇଁ ଖାଇବା ବନାଉଥିଲେ । ମାଆର ଏହି ଅବସ୍ଥା ଦେଖି ମୁଁ ମୋ ଆଖିର ଲୁହକୁ ନିୟନ୍ତ୍ରଣରେ ରଖିପାରୁନଥାଏ । ମାଆର ଅବସ୍ଥା ଦେଖି ବହୁତ କାନ୍ଦିଛି । କିଛି ସମୟ ପରେ ମାଆର ରୋଷେଇ ସରିଲା, ଆଉ ମାଆ ମତେ ତା ହାତ ରନ୍ଧା ଖାଇବା ଖାଇବାକୁ ଦେଲା । ଖାଇବା ପୂର୍ବ ଭଳି ବହୁତ ସ୍ୱାଦିଷ୍ଟ ଥିଲା । ସେଦିନ ରାତିରେ ମୁଁ ସବୁ ଖାଇବା ଖାଇଦେଲି । ଆଉ ମାଆ କିଛି ସମୟ ମୋ ସହ କଥା ହୋଇ ଆରାମ କରିବାକୁ ଚାଲିଗଲା । ବାସ୍ ତାପରେ ମାଆ ଆଉ ନିଦରୁ ଉଠିନି...
ମାଆ ଦୁନିଆ ଛାଡିବା ପୂର୍ବରୁ ଟ୍ରେଣ୍ଡକୁ ଆଉ ଏକ ବଡ ଉପହାର ମଧ୍ୟ ଦେଇଯାଇଥିଲେ । ମାଆ ଜାଣିଥିଲେ ତାଙ୍କ ଝିଅ ଜଣେ ବ୍ଲଗର । ସେଥିପାଇଁ ମାଆ ଟ୍ରେଣ୍ଡଙ୍କୁ ତାଙ୍କ ରୋଷେଇ ବେଳର ଭିଡିଓ ସୁଟ୍ କରିବାକୁ କହିଥିଲେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି । ଏହି ଭିଡିଓରେ ମିଲିୟନ୍ ମିଲିୟନ୍ ଭିୟୋର୍ସ ହୋଇଥିବା ବେଳେ ଲୋକେ ଏହାକୁ ସେୟାର କରିବାରେ ଲାଗିଛନ୍ତି । ଯାହା ଟ୍ରେଣ୍ଡଙ୍କ ପାଇଁ ତାଙ୍କ ମାଆଙ୍କର ବଡ ଉପହାର ଥିଲା ।