ପୋଲିସ ପଞ୍ଝାରେ ମୋଷ୍ଟ ୱାଣ୍ଟେଡ୍ ଲୁଟେରା ପର୍ଶୁରାମ ଗିରି । ଝରକା ତାଡ଼ି ଲୁଟୁଥିଲା ଟଙ୍କା ଓ ସୁନା ଗହଣା

୨୧ ଲକ୍ଷ ଟଙ୍କା, ୭୦୦ ଗ୍ରାମ ସୁନା, ୭ କେଜି ରୂପା ଜବତ

725

କନକ ବ୍ୟୁରୋ: ବାଲେଶ୍ୱର ସୋର ଅଞ୍ଚଳର ପର୍ଶୁରାମ ଗିରି । ଗୋଟିଏ କି ଦୁଇଟି ନୁହେଁ, ପର୍ଶୁରାମ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ରହିଛି ୫୦ରୁ ଅଧିକ ଅପରାଧିକ ମାମଲା । ତେବେ ଘରେ କେହି ନଥିବା ବେଳେ ଝରକା ତାଡି କିଛି ସମୟରେ କଳା କନା ବୁଲାଇ ଫେରାର ହୋଇଯାଏ ଏହି ଲୁଟେରା ମାଷ୍ଟର ପର୍ଶୁରାମ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଲୁଟ ମୁଣ୍ଡବିନ୍ଧାର କାରଣ ପାଲିଟିଥିଲା । କମିସନରେଟ୍ ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା ସେ ।

  • ପୋଲିସ ପଞ୍ଝାରେ ମୋଷ୍ଟ ୱାଣ୍ଟେଡ୍ ଲୁଟେରା
  • ଝରକା ତାଡ଼ି ଲୁଟୁଥିଲା ଟଙ୍କା ଓ ସୁନାଗହଣା
  • ତାଜ୍ ହୋଟେଲରେ କରୁଥିଲା ଅୟସ

ଭୁବନେଶ୍ୱରର କେବଳ ସହିଦ ନଗର, ମଞ୍ଚେଶ୍ୱର, ପାହାଳ, ଲିଙ୍ଗରାଜ ଥାନାରେ ୨୧ଟି ଚୋରି ମାମଲା ରହିଛି ଏହି ଅଭିଯୁକ୍ତ ନାଁରେ । ଗୁରୁତ୍ୱପୁର୍ଣ କଥା ହେଉଛି ଝରକା ତାଡି ଟଙ୍କା ଓ ସୁନାଗହଣା ଲୁଟ କରିବା ପରେ ରାଜ୍ୟ ବାହାରକୁ ପଳାଉଥିଲା । ଲୁଟିଥିବା ଟଙ୍କାରେ ମୁମ୍ବାଇର ତାଜ୍ ହୋଟେଲ ଭଳି ସାତ ତାରକା ହୋଟେଲରେ ଅୟସ କରୁଥିଲା । ବିଳମ୍ବିତ ରାତିରେ କମିଶନରେଟ ପୋଲିସ କରୁଥିବା ବ୍ଲକିଙ୍ଗ ଓ ଚେକିଙ୍ଗ ସମୟରେ ପୋଲିସ ହାତରେ ଧରା ପଡିବା ପରେ ତା ନିକଟରୁ ନଗଦ ୨୧ ଲକ୍ଷ ଟଙ୍କା, ୭୦୦ ଗ୍ରାମର ସୁନାଗହଣା ଓ ୭ କେଜି ରୁପା ଜବତ ହୋଇଛି ।

ଦଶମ ଶ୍ରେଣୀ ଫେଲ ହୋଇଥିବା ପର୍ଶୁରାମର ଲୁଟ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏକା ଏକା କରୁଥିଲା ଚୋରି । ଯେଉଁ ଘରକୁ ଟାର୍ଗେଟ କରୁଥିଲା କଳାକନା ବୁଲାଇ ଦେଉଥିଲା । ଚୋରି ଟଙ୍କା ଓ ସୁନା ଗହଣା ନେଇ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିଲା ଏହି ୱାନ ମ୍ୟାନ ଲୁଟେରା ।

  • ଚୋରି କରିବା ପରେ ରାଜ୍ୟ ବାହାରକୁ ପଳାଉଥିଲା
  • ମୁମ୍ବାଇର ତାଜ୍ ହୋଟେଲରେ ରୁମ ବୁକ୍ କରି ରହୁଥିଲା
  • ରାତିରେ ଡ୍ୟାନ୍ସ ବାରକୁ ଯାଇ ଟଙ୍କା ଉଡ଼ାଉଥିଲା
  • ଲୁଟ ଟଙ୍କାକୁ ଏଲଆଇସି ଓ ମ୍ୟୁଚୁଆଲ ଫଣ୍ଡରେ ମଧ୍ୟ ନିବେଶ କରୁଥିଲା
  • ବିଭିନ୍ନ ସ୍ଥାନରେ ଘର ତିଆରି କରି ଭଡାରେ ମଧ୍ୟ ଦେଇଥିଲା

ଦୀର୍ଘଦିନ ଧରି ପର୍ଶୁରାମ ଗିରି କମିଶନରେଟ ପୋଲିସର ନିଦ ହଜାଇ ଦେଇଥିବା ବେଳେ ତାକୁ ଗିରଫ କରିବା ପରେ ଶାନ୍ତିରେ ନିଶ୍ୱାସ ନେଇଛି ପୋଲିସ ।