ଅଲଗା ହେବେ ଦେଶର ସବୁଠାରୁ ଚର୍ଚ୍ଚିତ ଆଇଏଏସ ଯୋଡି : ଜୟପୁର ଫ୍ୟାମିଲି କୋର୍ଟରେ ଛାଡପତ୍ର ଆବେଦନ କଲେ ଟିନା ଡାବି ଓ ଅଥହର ଖାନ; ବିବାହର ଦୁଇ ବର୍ଷ ପରେ ବିଚ୍ଛେଦ ନିଷ୍ପତ୍ତି

4,242

କନକ ବ୍ୟୁରୋ : ଅଲଗା ହେବେ ଦେଶର ସବୁଠୁ ଚର୍ଚ୍ଚିତ ଆଇଏଏସ ଯୋଡି । ବିବାହର ଦୁଇ ବର୍ଷ ପରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ଟିନା ଡାବି ଓ ଅଥହର ଖାନ । ଏଥିପାଇଁ ଜୟପୁର ଫ୍ୟାମିଲି କୋର୍ଟରେ ଉଭୟଙ୍କ ପକ୍ଷରୁ ଆବେଦନ କରାଯାଇଛି । ଆପୋଷ ବୁଝାମଣାରେ ଛାଡପତ୍ର ଦେବା ପାଇଁ ନଭେମ୍ବର ୧୭ତାରିଖରେ ଏହି ଆବେଦନ କରାଯାଇଥିବା ଜଣାପଡିଛି ।

୨୦୧୫ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥହର ଖାନ । ୨୦୧୮ରେ ହୋଇଥିବା ଏହି ବିବାହ ବେଶ ଚର୍ଚ୍ଚାରେ ରହିଥିଲା । ଦୁହେଁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ହୋଇ ପରସ୍ପରକୁ ବିବାହ କରିଥିବାରୁ ଶୁଭେଚ୍ଛା ଜଣାଇବା ସହ ଏହା ସମାଜରେ ସାମ୍ପ୍ରଦାୟିକ ସଦଭାବ ବୃଦ୍ଧି କରିବ ବୋଲି ଟ୍ୱିଟ କରିଥିଲେ ରାହୁଲ ଗାନ୍ଧୀ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏବଂ ପରେ ୨୦୧୮ରେ ଏକ ହାଇପ୍ରୋଫାଇଲ ଫଙ୍କସନରେ ଉଭୟଙ୍କ ବିବାହ ହୋଇଥିଲା । ଦିଲ୍ଲୀରେ ହୋଇଥିବା ବିବାହ ଉତ୍ସବରେ ଭେଙ୍କେୟା ନାଇଡୁ, ସୁମିତ୍ରା ମହାଜନ ଓ ରବିଶଙ୍କର ପ୍ରସାଦ ପ୍ରମୁଖ ସାମିଲ ହୋଇଥିଲେ । ରାଜସ୍ଥାନ ଗଙ୍ଗାନଗରରେ ଜିଲ୍ଲା ପରିଷଦ ସିଇଓ ଭାବେ ଟିନା କାର୍ଯ୍ୟ ତୁଲାଉ ଥିବା ବେଳେ ଜୟପୁର ଜିଲ୍ଲା ପରିଷଦ ସିଇଓ ଭାବେ କାର୍ଯ୍ୟରତ ।