ଅଲଗା ହେବେ ଦେଶର ସବୁଠାରୁ ଚର୍ଚ୍ଚିତ ଆଇଏଏସ ଯୋଡି । ଜୟପୁର ଫ୍ୟାମିଲି କୋର୍ଟରେ ଛାଡପତ୍ର ଆବେଦନ କଲେ ଟିନା ଡାବି ଓ ଅଥହର ଖାନ । ବିବାହର ଦୁଇ ବର୍ଷ ପରେ ବିଚ୍ଛେଦ ନିଷ୍ପତି

271

କନକ ବ୍ୟୁରୋ : ବିବାହର ଦୁଇ ବର୍ଷ ପରେ ଅଲଗା ହେବେ ଦେଶର ସବୁଠୁ ଚର୍ଚ୍ଚିତ ଆଇଏଏସ ଯୋଡି । ଛାଡପତ୍ର ପାଇଁ ଆବେଦନ କରିଛନ୍ତି ଟିନା ଡାବି ଓ ଅଥର ଖାନ । ଏଥିପାଇଁ ଜୟପୁର ଫ୍ୟାମିଲି କୋର୍ଟରେ ଉଭୟଙ୍କ ପକ୍ଷରୁ ଆବେଦନ କରାଯାଇଛି । ଆପୋଷ ବୁଝାମଣାରେ ଛାଡପତ୍ର ଦେବା ପାଇଁ ନଭେମ୍ବର ୧୭ତାରିଖରେ ଏହି ଆବେଦନ କରାଯାଇଥିବା ଜଣାପଡିଛି ।

୨୦୧୫ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ । ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛିିନେଇଥିଲେ ।

ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ୨୦୧୮ରେ ଟିନା ଡାବି ଓ ଅଥହର ଖାନଙ୍କ ଧୁମଧାମରେ ବିବାହ ହୋଇଥିଲା । ଏହି ହାଇପ୍ରୋଫାଇଲ ବିବାହ ଉତ୍ସବରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଦିଲ୍ଲୀରେ ହୋଇଥିବା ବିବାହ ଉତ୍ସବରେ ଭେଙ୍କେୟା ନାଇଡୁ, ସୁମିତ୍ରା ମହାଜନ ଓ ରବିଶଙ୍କର ପ୍ରସାଦଙ୍କ ପରି ରାଜନୈତିକ ହେଭିୱେଟ ସାମିଲ ହୋଇଥିଲେ ।

ସେତେବେଳେ ଏହି ବିବାହ ସାରା ଦେଶରେ ବେଶ୍ ଚର୍ଚ୍ଚା ଓ ପ୍ରଶଂସା ସାଉଁଟିଥିଲା । ଉଭୟ ଭିନ୍ନ ଭିନ୍ନ ସମ୍ପ୍ରଦାୟର ହୋଇଥିବା ବେଳେ ଏହି ବିବାହ ସାମ୍ପ୍ରଦାୟିକ ସଦଭାବର ନିଦର୍ଶନ ବୋଲି ଅନେକ ପ୍ରଂଶସା କରିଥିଲେ ।

ଆପୋଷ ବୁଝାମଣାରେ ଛାଡପତ୍ର ପାଇଁ ସେମାନେ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି । ଟିନା ଏବେ ରାଜସ୍ଥାନ ଗଙ୍ଗାନଗରରେ ଜିଲ୍ଲା ପରିଷଦ ସିଇଓ ଭାବେ କାର୍ଯ୍ୟ ତୁଲାଉ ଥିବା ବେଳେ ଜୟପୁର ଜିଲ୍ଲା ପରିଷଦ ସିଇଓ ଦାୟିତ୍ୱ ସମ୍ଭାଳୁଛନ୍ତି ଅଥହର ।