ଭାରତରେ ଏସୀୟା ମହାଦେଶର ଦାମୀ ହୋଟେଲ । ରାତିକ ଖର୍ଚ୍ଚ ୩୩ ଲକ୍ଷ

79

କନକ ବ୍ୟୁରୋ: ଦାମୀ ହୋଟେଲ କହିଲେ ତା’ର ଆସବାବପତ୍ର ତଥା ସାଜସଜ୍ଜାଠାରୁ ଆରମ୍ଭ କରି ରହଣି ଖର୍ଚ୍ଚ ଓ ସବୁ ପ୍ରକାର ଅତ୍ୟାଧୁନିକ ସୁଖସୁବିଧାକୁ ବୁଝାଇଥାଏ । ଏହି ଧାରାରେ  ଭାରତରେ ଏପରି ଏକ ହୋଟେଲ ଅଛି ଯାହା କେବଳ ଭାରତର ନୁହେଁ ବରଂ ଏସୀଆର ସବୁଠୁ ଦାମୀ ହୋଟେଲ ବୋଲି କୁହାଯାଉଛି । ରାଜସ୍ଥାନର ଜୟପୁରରେ ରହିଛି ଏହି ହୋଟେଲ ।

ପିଙ୍କ ସିଟି ଭାବେ ଜଣାଶୁଣା ସହର ଜୟପୁର । ନିଜ ସଂସ୍କୃତି ଓ ଐତିହାସିକ ସୌଧ ଗୁଡିକ ପାଇଁ ଏହା ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏକ ଅନନ୍ୟ ପୃଷ୍ଠଭୂମି ପାଇଁ ଏହା  ଦୂରଦୂରାନ୍ତରୁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସୁଛି ।   ଏହାକୁ ଦୃଷ୍ଟିରେ ରଖି ଏଠାରେ ଥିବା ପ୍ରାସାଦ ମାନଙ୍କରେ ଏକାଧିକ ଫାଇଭ୍ ଷ୍ଟାର ହୋଟେଲ ମୁଣ୍ଡ ଟେକିଛି । ଏମାନଙ୍କ ମଧ୍ୟରୁ ସବୁଠୁ ଲକ୍ଜୁରୀ ହୋଟେଲ ହେଉଛି ‘ ଦି ରାଜ୍ ପ୍ୟାଲେସ୍’ ।

ଏହି ହୋଟେଲ ଜୟପୁର ଇଣ୍ଟରନ୍ୟାସନାଲ  ଏୟାରପୋର୍ଟ ଠାରୁ ପାଖାପାଖି ୧୩ କିଲୋମିଟର ଦୂରରେ ଅବସ୍ଥିତ । ଏହି ହୋଟେଲ ଆଧୁନିକ ଓ ପାରମ୍ପରିକ ନିର୍ମାଣ କଳାର ଏକ ଅଦ୍ଭୁତ ସମ୍ମିଶ୍ରଣ ।ଏହାକୁ ଭାରତର ସର୍ବୋତ୍ତମ ଐତିହାସିକ ହୋଟେଲ ଭାବେ ପରିଗଣିତ କରାଯାଏ । ମୋଗଲ ଓ ଆଧୁନିକ କଳାକୌଶଳର ଏହି ସୁନ୍ଦର ମିଶ୍ରଣ ଜୟପୁରର ସବୁଠାରୁ ପୁରୁଣା ରାଜପ୍ରାସାଦ । ହୋଟେଲର ନିର୍ମାଣ ଶୈଳୀ ଓ ସାଜସଜ୍ଜା ପର୍ଯ୍ୟଟକଙ୍କୁ ସମ୍ମୋହିତ କରିବାକୁ ଯଥେଷ୍ଟ ।

ଏହି ହୋଟେଲରେ ମୋଟ ୭୮ ଟି ବିଳାସପୂର୍ଣ୍ଣ କୋଠରୀ ରହିଛି । ପ୍ରତିଟି କୋଠରୀର ମାର୍ବଲ କାନ୍ଥ ମୋଗଲ ସମୟର ନିଖୁଣ ଚିତ୍ରକଳାରେ ସୁସଜ୍ଜିତ । ଏଠାରେ ପର୍ଯ୍ୟଟକ ରୂପା ପଲଙ୍କରେ ଶୋଇବା ସହ ସୁନା ଥାଳିରେ ଖାଇଥାନ୍ତି । ଏହାର ବାଥରୁମରେ ସୁନାର ଟ୍ୟାପ ଲାଗିଛି ।  ଏହି ହୋଟେଲରେ ଥିବା ସ୍ୱତନ୍ତ୍ର କୋଠରୀ ‘ଦରବାର ସୁଇଟ୍’ରେ ଗୋଟିଏ ରାତି ରହଣି ପାଇଁ ଖର୍ଚ୍ଚ କରିବାକୁ ପଡେ ୧୮ ଲକ୍ଷ ଟଙ୍କା ।

ଏହି ହୋଟେଲର କୋଟରୀକୁ ୭ଟି କ୍ୟାଟାଗରୀରେ ବିଭିକ୍ତ କରାଯାଇଛି ଯେପରି, ହେରିଟେଜ୍ ରୁମ୍, ପିମିଅର ରୁମ୍, ହିଷ୍ଟୋରିକାଲ ରୁମ୍, ପ୍ରେଷ୍ଟିଜ୍ ସୁଇଟ୍, ପ୍ୟାଲେସ୍ ସୁଇଟ୍, ମହାରାଜା ପାଭେଲିଅନ୍ ଓ ସାହି ମହଲ ବନାଯାଇଛି । ସାହିମହଲରେ ରହଣୀ ସବୁଠୁ ଅଧିକ । ଏଠାରେ ରାତିକ ରହଣୀ ଖର୍ଚ୍ଚ ହେଉଛି ୩୩ ଲକ୍ଷ ଟଙ୍କା । ଏଠାରେ କେବଳ କୋଠରୀର ସାଜସଜ୍ଜା ନୁହେଁ, ସବୁ ପ୍ରକାର ଅତ୍ୟାଧୁନିକ ଟେକ୍ନୋଲୋଜି ଉପଲବ୍ଧ ହେବା ସହ ସ୍ପା, ସୁଇମିଙ୍ଗ ପୁଲ୍, ଯୋଗ କରିବାର ସୁବିଧା ମଧ୍ୟ ରହିଛି । ଖାଲି ଏତିକି ନୁହେଁ ପର୍ଯ୍ୟଟକଙ୍କ ପାଇଁ ହୋଟେଲ ବାହାରେ ବୁଲିବାକୁ ରହିଛି ହାତୀ ସଫାରୀ, ସିଟି କ୍ୟାବ ମଧ୍ୟ ରହିଛି ।

ଏହି ଭବ୍ୟ ହୋଟେଲ ଅନେକ ସମୟରେ ଦେଶର ବଡ ବଡ ଧନୀ ତଥା ସେଲିବ୍ରିିଟିଙ୍କ ୱେଡିଙ୍ଗ ହବ୍ ରହିଆସିଛି । ଏହିଠାରେ ବଲିଉଡ୍ ବାଦଶାହା ବିଗ୍ ବି ଫିଲ୍ମ ‘ବୋଲ୍ ବଚ୍ଚନ’ର ସୁଟିଙ୍ଗ କରିଥିଲେ । ଏହାବ୍ୟତୀତ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଭୁଲଭୁଲେୟା’ର ସୁଟିଙ୍ଗ ମଧ୍ୟ ଏହି ହୋଟେଲରେ ହୋଇଥିଲା । ଭାରତ ପାଇଁ ସବୁଠାରୁ ବଡ କଥା ହେଉଛି , ୨୦୦୭ରେ ଏହି ରାଜକୀୟ ହୋଟେଲକୁ ‘ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର’ ଶ୍ରେଣୀରେ ‘ସର୍ବଶ୍ରେଷ୍ଠ ଐତିହ୍ୟ ହୋଟେଲ’ ପୁରସ୍କାର ମିଳିଥିଲା ।

ବ୍ୟୁରୋ ରିପୋର୍ଟ- କନକ ନ୍ୟୁଜ୍