ରାଜଧାନୀର ମହଙ୍ଗା ଫୁଲ! ୨୦୨୦-୨୧ରେ ଖର୍ଚ୍ଚ ପ୍ରାୟ ୩ କୋଟି

164

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଆପଣ ଫୁଲଗଛ ଦେଖିଥିବେ, ହୁଏତ ଜାଣିନଥିବେ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି । ଭୁବନେଶ୍ୱର ସହରରେ ଲଗାଯାଇଥିବା ଫୁଲଗଛ ପାଇଁ କେତେ ଖର୍ଚ୍ଚ ହେଉଛି, ଏହାର ହିସାବ ଦେବା ପାଇଁ ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ନବ ଚରଣ ମାଝୀ । ଏ ହେଉଛି ବିଧାନସଭାରେ ମନ୍ତ୍ରୀ ରଖିଥିବା ଲିଖିତ ଉତର ।

ରାଜଧାନୀରେ ଫୁଲ ପାଇଁ ଖର୍ଚ୍ଚ
୨୦୧୯-୨୦ ରେ ୨୦ ହଜାର ଗଛ କ୍ରୟ ଓ ରୋପଣ ପାଇଁ ଖର୍ଚ୍ଚ ୧ କୋଟି ୮୭ ଲକ୍ଷ ଟଙ୍କାରୁ ଅଧିକ
୨୦୨୦-୨୧ରେ (ବଗନ ଭିଲିଆ ଓ ଇରେସାଇନ୍ ଫୁଲ ଗଛ) ରୋପଣ ଓ ରକ୍ଷଣାବେକ୍ଷଣା ଖର୍ଚ୍ଚ ୨ କୋଟି ୮୮ ଲକ୍ଷ ଟଙ୍କାରୁ ଅଧିକ
୨୦୨୧-୨୨ରେ ଫୁଲ ଗଛର କେବଳ ରକ୍ଷଣାବେକ୍ଷଣା ବାବଦରେ ଖର୍ଚ୍ଚ ୩୩ ଲକ୍ଷ ଟଙ୍କାରୁ ଅଧିକ
୨୦୨୨-୨୩ ଆର୍ଥିକ ବର୍ଷରେ ବୃକ୍ଷ ରୋପଣ ଖର୍ଚ୍ଚ ୧୦ ଲକ୍ଷ ୫୫ ହଜାର ଟଙ୍କା

ରୋଡ ମିଡିଆନ ଫୁଲ ଗଛ ଅର୍ଥାତ ରାଜଧାନୀ ରାସ୍ତା ମଝିରେ ଯେଉଁ ଗଛ ଲାଗିଥାଏ, ସେଥିପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । ବଗନ ଭିଲିଆ ବା କାଗଜ ଫୁଲ ଓ ଇରେସାଇନ୍ ଗଛ ଲଗାଇବା ଏବଂ ଏହାର ରକ୍ଷଣାବେକ୍ଷଣା ପାଇଁ ୨୦୨୦-୨୧ ବା କରୋନା କାଳରେ ପାଖାପାଖି ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ସମୟରେ ଲକ୍ଡାଉନ ଲାଗିଥିଲା, ରାସ୍ତା ଶୂନଶାନ୍ ରହିଥିଲା, ସେହି ସମୟରେ ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ ସରକାରୀ ତହବିଲରୁ ଆଖିବୁଜା ଟଙ୍କା ଖର୍ଚ୍ଚ ହୋଇଛି ।