ବଲିଉଡ ଇତିହାସରେ ପ୍ରଥମ ଥର ମହମ୍ମଦ ଅଲ୍ଲି ଜିନ୍ନାଙ୍କୁ ନେଇ ନିର୍ମାଣ ହେବ ସିନେମା । କିଣାଗଲା ଶୀଲା ରେଡ୍ଡିଙ୍କ ପୁସ୍ତକର କପି ରାଇଟ୍

212

କନକ ବ୍ୟୁରୋ :  ବଲିଉଡରେ ପ୍ରଥମ ଥର ପାଇଁ ମହମ୍ମଦ ଅଲ୍ଲି ଜିନ୍ନାଙ୍କୁ ନେଇ ସିନେମା କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଚଳିଚିତ୍ର ନିର୍ମାଣ ପାଇଁ ଅଣ୍ଟାଭିଡିଛନ୍ତି ପ୍ରଯୋଜକ କୁମାର ତୌରାନୀ । ଏନେଇ ସେ ଶୀଲା ରେଡ୍ଡିଙ୍କ ବହିର କପି ରାଇଟ୍ କିଣିଛନ୍ତି । ବଲିଉଡରେ ବର୍ତମାନ ଯାଏ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ ସିନେମା ନିର୍ମାଣ କରାଯାଇଛି । ଯାହାଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଭଗତ ସିଂ, ସର୍ଦ୍ଦାର ପଟେଲ ଙ୍କ ସହିତ ଅନେକ ସ୍ୱାଧିନତା ସଂଗ୍ରାମୀ ରହିଛନ୍ତି । ହେଲେ ବଲିଉଡରେ ପ୍ରଥମଥର ପାଇଁ ବିବାଦୀୟ ନେତା ତଥା ଭାରତକୁ ବଭାଜିତ କରିବାର ମୁଖ୍ୟ ସୂତ୍ରଧର ପାକିସ୍ତାନର ଜନକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ସିନେମା ନିର୍ମାଣ ହେବ । ପାକିସ୍ତାନ ଓ ଅଲ ଇଣ୍ଡିଆ ମୁସଲିମ୍ ଲିଗର ସଂସ୍ଥାପକ ଜିନ୍ନାଙ୍କୁ ନେଇ ବି ୱେବସିରିଜ ନିର୍ମାଣ ହେବ ବୋଲି ସୂଚନା ମିଳିଛି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ପ୍ରଯୋଜକ କୁମାର ତୌରାନୀ ଶିଲା ରେଡ୍ଡିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ମିଷ୍ଟର ଆଣ୍ଡ ମିଶେସ୍ ଜିନ୍ନା’ ଦି ମ୍ୟାରେଜ ଦାଟ୍ ସୋକ୍ ଇଣ୍ଡିଆ ର କପି ରାଇଟ୍ସ କିଣିଛନ୍ତି । ଏନେଇ ବି ସ୍ପଷ୍ଟ କରିଛନ୍ତି ପ୍ରଯୋଜକ ତୌରାନୀ । ତୌରାନୀ କହିଛନ୍ତି କି ଏହା ସତ୍ୟ ଯେ ମୁଁ ଏହି ପୁସ୍ତକର କପି ରାଇଟ୍ସ କିଣିଛି । ହେଲେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ କି ଏହାକୁ ନେଇ ସିନେମା କରାଯିବ କି ୱେବ୍ ସିରିଜ । ଏନେଇ ଏକ କ୍ରିଏଟିଭ୍ ଟିମ୍ ର ଆବଶ୍ୟକ ରହିଛି । ଯାହା ମଧ୍ୟରେ ଲେଖକ, କ୍ରିଏଟିଭ୍ ନିର୍ଦ୍ଦେଶକଙ୍କର ଆବଶ୍ୟକ ରହିଛି । ତୌରାନୀ ଆହୁରି କହିଛନ୍ତି କି ଶୀଲା ରେଡ୍ଡିଙ୍କର ପୁସ୍ତକରେ ଜିନ୍ନାଙ୍କ ରାଜନୈତିକ ଯାତ୍ରା ସହିତ ସ୍ୱତନ୍ତ୍ରତା ସଂଗ୍ରାମରେ ତାଙ୍କର ଭୂମିକା ଲେଖା ଯାଇଛି । ହେଲେ ସିନେମା କରିବାକୁ ହେଲେ ଏହା ମଧ୍ୟରେ କିଛି ରୋଚକ ଦୃଶ୍ୟ ଦେଖାଇବାକୁ ପଡିବ ।

ଏହାକୁ ନେଇ ସିନେମା ଆରମ୍ଭ କରିବାକୁ ଥିବା ବେଳେ ଦେଶରେ ଜିନ୍ନାଙ୍କୁ ନେଇ ବିଭିନ୍ନ ବିବାଦ ରହିଛି । ଭାରତୀୟ ମାନଙ୍କ ମତରେ ଜିନ୍ନା ଜଣେ ବିଭାଜନକାରୀ । ଦେଖିବାକୁ ବାକି ରହିଲା ଏନେଇ ସିନେମା ହେଉ କି ୱେବ୍ ସିରିଜ । ଏହାର ପ୍ରସାରଣ ବେଳେ ବିବାଦ ଉପୁଜିବା ଥୟ।