ଓଡ଼ିଶାରୁ ବିଳମ୍ବରେ ଫେରିବ ମୌସୁମୀ । ନଭେମ୍ବର ମାସ ଯାଏଁ ସକ୍ରିୟ ରହିବ ମୌସୁମୀ

213

ଚଳିତ ବର୍ଷ ଓଡ଼ିଶାରୁ ମୌସୁମୀ ବିଳମ୍ବରେ ଫେରିବ । ନଭେମ୍ବର ମାସରେ ମୌସୁମୀ ସକ୍ରିୟ ରହିବ । ପ୍ରାୟ ୪୫ ଦିନ ବିଳମ୍ବରେ ଅର୍ଥାତ୍‌ ଡିସେମ୍ବର ପହିଲା ବେଳକୁ ଓଡ଼ିଶାରୁ ବିଦାୟ ନେବ ମୌସୁମୀ । ଜୁନ୍‌ ୧୦ ଅର୍ଥାତ ଚଳିତ ବର୍ଷ ସ୍ବାଭାବିକ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଢ଼ ମାସ ବିଳମ୍ବରେ ଓଡ଼ିଶାରୁ ଅପସାରିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଖାଲି ଓଡ଼ିଶା ନୁହେଁ; ସାରା ଭାରତରୁ ମଧ୍ୟ ଏହି ମୌସୁମୀ ଅପସାରଣ ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହେବ । ସାଧାରଣତଃ ସେପ୍ଟେମ୍ବର ୧ ତାରିଖରୁ ଦେଶର ଉତ୍ତର-ପଶ୍ଚିମ ରାଜ୍ୟ ଯଥା ରାଜସ୍ଥାନ, ପଞ୍ଜାବ ଆଦି ଅଞ୍ଚଳରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ । କିନ୍ତୁ ଏବେ ସେପ୍ଟେମ୍ବରର ୧୬ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଏଥିରେ ବହୁ ବିଳମ୍ବ ହେବ ବୋଲି ଜଣାପଡ଼ୁଛି ।

ଆଞ୍ଚଳିକ ପଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସାଧାରଣତଃ ୧ ଜୁନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତ ଅର୍ଥାତ କେରଳ ଛୁଇଁଥାଏ ଓ ୧ ସେପ୍ଟେମ୍ବରରୁ ଏହା ଭାରତରୁ ଅପସାରିତ ହେବା ଆରମ୍ଭ ହୁଏ । ଏହିକ୍ରମରେ ୧୫ ଅକ୍ଟୋବର ଆଡ଼କୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାରୁ ଫେରିବା ଆରମ୍ଭ କରେ । କିନ୍ତୁ ଯେହେତୁ ମୌସୁମୀ ଭାରତର ଉତ୍ତର-ପଶ୍ଚିମରୁ ‌ଅପସାରିତ ହେବାକୁ ମାସକରୁ ଊର୍ଧ୍ବକାଳ ସମୟ ନେବ ତେଣୁ ଓଡ଼ିଶାରୁ ମୌସୁମୀ ଫେରିବାକୁ ବି ୪୫ ଦିନ ବିଳମ୍ବ କରିପାରେ । ଅର୍ଥାତ ମୌସୁମୀ ଛାଡ଼ିଲା ବେଳକୁ ‌ଡିସେମ୍ବ୍ବର ପହିଲା ହୋଇଯିବ ।

ଚଳିତ ବର୍ଷ ଜୁନରେ ରାଜ୍ୟରେ ପ୍ରାୟତଃ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଜୁଲାଇରେ ପାଖାପାଖି ୧୯% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଅଗଷ୍ଟ ଆଡ଼କୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିଲା । ଅଗଷ୍ଟ ମାସର ପାଖାପାଖି ୨୪ ଦିନ ମୌସୁମୀ ରାଜ୍ୟରୁ ସମ୍ପୂର୍ଣ୍ଣ ଗାଏବ ହୋଇଯାଇଥିଲା । ଅବଶିଷ୍ଟ ୭ ଦିନ ମୌସୁମୀ ଟ୍ରଫ୍ ସ୍ବାଭାବିକ ସ୍ଥିତିରେ ରହିଥିବା ବେଳେ ଅଗଷ୍ଟର ଗୋଟିଏ ବି ଦିନ ମୌସୁମୀ ସକ୍ରିୟ ହୋଇନଥିଲା । ଫଳରେ ଅଗଷ୍ଟରେ ମୌସୁମୀଜନିତ ବର୍ଷା ବିଶେଷ ହୋଇନଥିଲା । କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ସେପ୍ଟେମ୍ବର ଆରମ୍ଭରୁ ମୌସୁମୀ ସକ୍ରିୟ ହୋଇଥିଲା । ଆଗକୁ ୧୮ ଓ ୨୫ ତାରିଖ ଆଡ଼କୁ ରାଜ୍ୟରେ ଆହୁରି ଦୁଇଟି ଲଘୁଚାପ ବର୍ଷାର ସମ୍ଭାବନା ଥିବାରୁ ରାଜ୍ୟରେ ମୌସୁମୀ ସକ୍ରିୟ ରହିବ । ଏଣୁ ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ବିଳମ୍ବ ହେବ ବୋଲି ପୂର୍ବାନୁମାନ କରାଯାଉଛି ।