୪୮ଘଣ୍ଟାରେ ବିଦାୟ ନେବ ମୌସୁମୀ : ନଭେମ୍ବର ପହିଲାରୁ ପୁଣି ବର୍ଷା

394

କନକ ବ୍ୟୁରୋ : ଆଜି ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ଆଜି ଅପସରି ଯାଇଛି ମୌସୁମୀ । ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ଅଂଶରୁ ବି ମୌସୁମୀ ବିଦାୟ ନେଇଛି ।

ଆସନ୍ତା ୪୮ ଘଣ୍ଟା‌‌‌‌‌ରେ ଓଡ଼ିଶା ସମେତ ଭାରତରୁ ସମ୍ପୂର୍ଣ୍ଣ ବିଦାୟ ନେବ ମୌସୁମୀ। ଏବେ ମୌସୁମୀ ପ୍ରତ୍ୟାବର୍ତ୍ତନ ଟ୍ରଫ୍ ଲାଇନ୍‌ ପଶ୍ଚିମବଙ୍ଗର କୋଚ୍ ବେହାର, ଶ୍ରୀନିକେତନ, କେନ୍ଦୁଝର, ନବରଙ୍ଗପୁର, ନାସିକ୍ ହୋଇ ଗତି କରୁଛି । ଫଳରେ ୨୮ ତାରିଖ ସୁଦ୍ଧା ମୌସୁମୀ ବାୟୁ ଦେଶରୁ ଅପସାରିତ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ନଭେମ୍ବର ପହିଲାରୁ ରାଜ୍ୟରେ ପୁଣି ବର୍ଷା ହେବ। ବିଶେଷକରି ଉପକୂଳରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ ବୋଲି ସୂଚନା ମିଳିଛି। ଆସନ୍ତା ୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ରାଜ୍ୟରେ ୧ରୁ ୩ ତାରିଖ ଯାଏଁ ଅଳ୍ପ ବହୁତ ବର୍ଷା ହେବା ସହ ପାଗ ମେଘୁଆ ରହିବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପ୍ରଶାନ୍ତ ମହାସାଗରରେ ରହିଥିବା ୨ ଟି ବାତ୍ୟା ମଧ୍ୟରୁ ଗୋଟିଏ ସମୁଦ୍ର ଭିତରେ ଦୁର୍ବଳ ହୋଇ ଏବେ ଭିଏତନାମରେ ପହଞ୍ଚିଛି ।

ଆଉ ଏକ ବାତ୍ୟା ଫିଲିପାଇନସ୍‌ରେ ବ୍ୟାପକ କ୍ଷୟକ୍ଷତି କରି ଏବେ ଅଧିକ ଘନୀଭୂତ ହୋଇ ଭିଏତନାମର ଦା ନାଙ୍ଗ ଆଡ଼କୁ ଗତି କରୁଛି । ଏହାର ଅବଶିଷ୍ଟ ଅଂଶ ଆସନ୍ତା ୩୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି କରାଇବ । ଏହା ପରେ ଏହା ଉତ୍ତର-ପଶ୍ଚିମକୁ ଗତି କରି ଉତ୍ତର ବଙ୍ଗୋପସାଗରରେ ବାଂଲାଦେଶ ଉପକୂଳ ସ୍ପର୍ଶ କରିବ । ଏହାର ପ୍ରଭାବ ଓଡ଼ିଶା ଉପରେ ବି ରହିବ । ଏଣୁ ୧ ରୁ ୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷାର ସମ୍ଭାବନା ରହିଛି ବୋଲି ଡ. ପଶୁପାଳକ କହିଛନ୍ତି ।

Comments are closed.