କଟକଣା ଭିତରେ ଆରମ୍ଭ ହେଲା ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ :  ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ; ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ

53

କନକ ବ୍ୟୁରୋ : କରୋନା ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ । ଏହି ଅଧିବେସନ ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ । କରୋନା ମହାମାରୀ ସମୟରେ କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଛି । ଦିନ ୧୧ଟାରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପୂର୍ବଭଳି ଏଥର ଆରମ୍ଭରୁ ଯେଭଳି ପ୍ରଶ୍ନକାଳ ରଖାଯାଇଥାଏ ତାହାକୁ ଏହି ଅଧିବେଶନରୁ ବାଦ ଦିଆଯାଇଛି । ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ପଜିଟିଭ ଚିହ୍ନଟ ହୋଇଥିବା ବିଧାୟକ ମାନଙ୍କ ବ୍ୟତୀତ ଏହି ଅଧିବେଶନରେ ଅନ୍ୟ ସମସ୍ତ ବିଧାୟକମାନଙ୍କୁ ବିଧାନସଭା ପରିସରକୁ ଯିବାକୁ ଅନୁମତି ମିଳିଛି । ବିଧାନସଭା ଗେଟ ସମ୍ମୁଖରେ ଥର୍ମାଲ ସ୍କ୍ରିନିଂ ପରେ ବିଧାୟକମାନେ ଗୃହକୁ ପ୍ରବେଶ କରିଥିଲେ । 

ଅନ୍ୟପଟେ ଅଧିବେଶନରେ ପ୍ରଶ୍ନକାଳ ନଥିବା ବେଳେ ବିଧାନସଭା ଭିତରେ ସରକାରଙ୍କୁ ଘେରବାକୁ ଅନେକ ପ୍ରସଙ୍ଗ ରହିଛି । ଯେଭଳି କି କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତା , କୃଷି ବିଲ କୁ ସରକାରଙ୍କ ସମର୍ଥନ ପ୍ରସଙ୍ଗ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏନେଇ ଗତକାଲି ବିରୋଧୀ ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ଭାବେ ବିଧାୟକ ଦଳ ବୈଠକ ଡାକି ରଣନୀତି ପ୍ରସ୍ତୁତ କରିଥିବା ବେଳେ ବିରୋଧୀଙ୍କୁ ଜବାବ୍ ଦେବାକୁ ସରକାରୀ ଦଳ ବି ବଧାୟକମାନଙ୍କୁ ଡାକି ଏକ ବୈଠକ କରିଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅଧ୍ୟକ୍ଷତା କରିଥିଲେ । ସବୁଠାରୁ ବଡ କଥା ହେଉଛି ବିଜେପି ଓ ବିଜେଡିର କିଛି ବିଧାୟକ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ବିଧାନସଭାରୁ ବାଦ ପଡିଥିବା ବେଳେ କଂଗ୍ରେସର ୯ ରୁ ୯ ବିଧାୟକଙ୍କ କୋଭିଡ ଟେଷ୍ଟ ନେଗେଟିଭ୍ ବାହାରିଛି । 

ଅଧିବେଶନରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଯୋଗ ଦେଉ ନଥିଲେ ବି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ସେ ଯୋଗ ଦେଇଛନ୍ତି । ସେପଟେ ୬ ଜଣ ବିଧାୟକ ଲୋକସେବା ଭବନ ପରିସରରୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବି ଯୋଗ ଦେଇଥିବା ଦେଖିବାକୁ ମିଳିଛି । ବୈଠକ ଆରମ୍ଭରୁ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ ।