ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି : ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୫ ଜିଲ୍ଲାରେ ରେଡ ୱାର୍ଣ୍ଣିଂ, ୯ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି; ସେପଟେ ଲଗାଣ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀରେ ଜଳସ୍ତର ବୃଦ୍ଧି

623

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ତୁହାକୁ ତୁହା ବର୍ଷା ଲାଗି ରହିବାରୁ ସବୁଆଡେ ପାଣି ଆଉ ପାଣି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଏଭଳି ସ୍ଥିତି ଆହୁରି ୨୪ ଘଂଟା ଯାଏଁ ଲାଗି ରହିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଆଜି ଢ଼େଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପାଂଚଟି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ନୟାଗଡ, ଦେବଗଡ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଏଥିସହ ସୁନ୍ଦରଗଡ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ମାଟି ଘର ଭାଙ୍ଗିବା ସହ ରାସ୍ତା ଧୋଇଯିବାର ଆଶଙ୍କା ଥିବାରୁ ସମ୍ପୃକ୍ତ ଜିଲ୍ଳାର ଜିଲ୍ଳାପାଳମାନେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ବର୍ଷା ଯୋଗୁଁ ଗଞ୍ଜାମର ଋଷିକୁଲ୍ୟା ନଦୀରେ ଜଳସ୍ତର ବଢିଛି । ଋଷିକୁଲ୍ୟା ମୁହାଣରେ ପାଣି ନିଷ୍କାସନ ନହେବା ଯୋଗୁଁ ଗାଁ ଲୋକ ଖୋଲିଛନ୍ତି ମୁହାଁଁଣ । ଆଉ ନଇ ପାର କରିବା ସମୟରେ ମଝିରାସ୍ତରେ ଡ଼ଙ୍ଗା ଖରାପ ହୋଇଥିଲା । କିନ୍ତୁ ଜଣେ ସାହାସି ଯୁବକ ପାଣିକୁ ଡ଼େଇଁ ଡ଼ଙ୍ଗାକୁ କୁଳକୁ ଟାଣି ଆଣିଥିଲେ । ଫଳରେ ୪୦ ରୁ ୫୦ ଲୋକଙ୍କ ଜୀବନ ମଧ୍ୟ ବଂଚି ଯାଇଛି । ଗଞ୍ଜାମ ବ୍ଲକର ଲୁଳିଆ ନୂଆ ଗାଁ, ପୁରୁଣାବନ୍ଧ ଓ ଗୋଖରକୁଦାରେ ପାଣି ନିଷ୍କାସନ ନହେବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Comments are closed.