ଚିନ୍ତା ବଢାଉଛି ମହାରାଷ୍ଟ୍ର ।  ସଂଗୃହୀତ ୫୦% ନମୁନାରୁ ମିଳିଲା ପରିବର୍ତ୍ତିତ ଭାରତୀୟ ପ୍ରଜାତିର କରୋନାଭାଇରସ୍‌

202

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ମହାରାଷ୍ଟ୍ର ଦେଶର ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ଭାବେ ପରିଗଣିତ ହେବାରେ ଲାଗିଛି । ଆଜି ରାଜ୍ୟରେ ୬୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୦ ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ମହାରାଷ୍ଟ୍ରରୁ ସଂଗୃହିତ ହୋଇଥିବା  ସ୍ୱାବ ନମୁନାରୁ ୫୦ ପ୍ରତିଶତ ନମୁନାର ଫଳାଫଳ ଏଭଳି ଆସିଛି ଯେ, ଯାହା ଦେଶର ଚିକିତ୍ସା ବିଜ୍ଞାନକୁ ଚକିତ କରିଦେଇଛି ।

ମହାରାଷ୍ଟ୍ରରୁ ସଂଗୃହୀତ କୋଭିଡ୍‌-୧୯ ପଜିଟିଭ୍‌ ନମୁନାର ୫୦%ରେ ପରିବର୍ତ୍ତିତ ଭାରତୀୟ ପ୍ରଜାତିର କରୋନାଭାଇରସ୍‌ ଥିବା କଥା ଜଣାପଡ଼ିଛି। ଭୂତାଣୁର ଗୁଣସୂତ୍ର-କ୍ରମ ଅନୁଶୀଳନ ପାଇଁ ସଂଗୃହୀତ ନମୁନାଗୁଡ଼ିକୁ ପରୀକ୍ଷାଗାରକୁ ପଠାଯାଇଥିଲା। ଏଥିରୁ ପ୍ରାୟ ୫୦% ନମୁନାରେ ନୂତନ ଭାବେ ଚିହ୍ନଟ ହୋଇଥିବା ଦ୍ରୁତ ସଂକ୍ରମଣଶୀଳ ‘ସାର୍ସ-କୋଭ୍‌-୨’ ଭୂତାଣୁର ପରିବର୍ତ୍ତିତ ଭାରତୀୟ ପ୍ରଜାତି ‘ବି.୧.୬୧୭’ ଥିବା ଜଣାପଡ଼ିଛି।

ଏଥିରୁ ଅଧିକାଂଶ ନମୁନା ବିଦର୍ଭରୁ ସଂଗ୍ରହ କରାଯାଇଥିଲା। କିନ୍ତୁ, ସହର ମଧ୍ୟରୁ ସଂଗୃହୀତ ନମୁନାରୁ ଏପର୍ୟ୍ୟନ୍ତ ‘ବି.୧.୬୧୭’ ପରିବର୍ତ୍ତିତ ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ‘ଇନ୍‌ସାକଗ୍‌’ର ବୈଜ୍ଞାନିକମାନେ କହିଛନ୍ତି। ନମୁନାରୁ ସମ୍ପୂର୍ଣ୍ଣ ଗୁଣସୂତ୍ରର ଅନୁକ୍ରମ ଚିହ୍ନଟ କରୁଥିବା ୧୦ଟି ଜାତୀୟ ପରୀକ୍ଷାଗାରରୁ ‘ଇନ୍‌ସାକଗ୍‌’ ଅନ୍ୟତମ।

ସମ୍ପୂର୍ଣ୍ଣ ଗୁଣସୂତ୍ର ଅନୁକ୍ରମ ପ୍ରକଳ୍ପ ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏପର୍ୟ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ତଥା ସବିଶେଷ ବିବରଣୀ ପ୍ରଦାନ କରିନାହିଁ। କିନ୍ତୁ, ଶୁକ୍ରବାର ଦିନ ବିଶେଷସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ସମ୍ପୂର୍ଣ୍ଣ ଗୁଣସୂତ୍ର ଅନୁକ୍ରମ ଚିହ୍ନଟ ଲାଗି ଗୁରୁବାର ସୁଦ୍ଧା ୧୦ଟି ‘ଇନ୍‌ସାକଗ୍‌’ ପରୀକ୍ଷାଗାରରେ ୧୩,୬୧୪ ନମୁନାର ପ୍ରକ୍ରିୟାକରଣ କରାଯାଇଥିଲା।