ଶ୍ରମିକଙ୍କ ହାତକୁ ମିଳିଲା କାମ, ଗାଁରେ ତିଆରି ହେଲା ମଡେଲ ଅଙ୍ଗନୱାଡି

112

କନକ ବ୍ୟୁରୋ: ଘର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ ରୂପାୟନରେ ଶ୍ରମିକଙ୍କ ହାତକୁ ମିଳିଲା କାମ । ଗାଁରେ ତିଆରି ହେଲା ମଡେଲ ଅଙ୍ଗନୱାଡି ଗୃହ । ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଗୋଡିମାଗୁରା ଗାଁରେ ନିର୍ମିତ ଅଙ୍ଗୱାଡି ଗୃହ ଏବେ ସମସ୍ତଙ୍କର ମନ ମୋହୁଛି ।

ଏହା କୌଣସି ବେସରକାରୀ ଅନୁଷ୍ଠାନର ଦୃଶ୍ୟ ନୁହେଁ । ଏ ହେଉଛି ବଡଚଣା ବ୍ଲକ ସିହା ପଂଚାୟତ ଗୋଡିମାଗୁରା ଗାଁର ମଡେଲ ଅଙ୍ଗନୱାଡି କେନ୍ଦ୍ର । କୁନି କୁନି ଶିଶୁମାନଙ୍କ ମନରେ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ତିଆରି ହୋଇଛି ଏଭଳି ସୁନ୍ଦର ଅଙ୍ଗନୱାଡି ଘର । ପିଲାମାନଙ୍କ ପାଇଁ ଉନ୍ନତମାନର ଶୌଚାଳୟ ସାଙ୍ଗକୁ ରୋଷେଇ ଶାଳା ବି ତିଆରି ହୋଇଛି । ଚଟ୍ଟାଣରେ ମାର୍ବଲ ବିଛାଯାଇଥିବା ବେଳେ ଘର କାନ୍ଥରେ ରଙ୍ଗବେରଙ୍ଗର କାର୍ଟୁନ କରାଯାଇଛି ।

ତୃଣମୂଳ ସ୍ତରରୁ ଶିକ୍ଷାର ବିକାଶ ପାଇଁ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରାଯାଇଛି । ବଡଚଣା ବ୍ଲକ ପକ୍ଷରୁ କରୋନା ସମୟରେ ସ୍ଥାନୀୟ ଶ୍ରମିକଙ୍କୁ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେବା ସହ ଏହି ସୁନ୍ଦର ଅଙ୍ଗନୱାଡି ଗୃହଟି ନର୍ମାଣ କରାଯାଇଛି । ଏଥିପାଇଁ ୭ଲକ୍ଷ ଟଙ୍କା ଖର୍ଚ ହୋଇଛି । ଗୋଟିଏ ପଟେ ସ୍ଥାନୀୟ ଶ୍ରମିକଙ୍କୁ କାମ ମିଳିଥିବା ବେଳେ ଗାଁରେ ମଡେଲ ଅଙ୍ଗନୱାଡି କେନ୍ଦ୍ର ତିଆରି ହୋଇ ପାରିଛି । ଏହାକୁ ନେଇ ଗ୍ରାମବାସୀ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଅମର ଶତପଥିଙ୍କୁ ଧନ୍ୟବାଦ ଦେଇଛନ୍ତି ।