କନକ ବ୍ୟୁରୋ: ଖୋର୍ଦ୍ଧା ସହରରେ ଚଞ୍ଚଲ୍ୟ । ଖୋର୍ଦ୍ଧା କୋର୍ଟରୁ ଚମ୍ପଟ ମାରିଲା ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତ । ଆଜି କୋର୍ଟରେ ଶୁଣାଣି ପାଇଁ ଆସିଥିଲା ଅଭିଯୁକ୍ତ । ଶୁଣାଣି ସମୟରେ ପୋଲିସକୁ ଧକ୍କା ଦେଇ ମାରିଲା ଚମ୍ପଟ । ଫେରାର କଏଦୀ ନାମ ସୁକାନ୍ତ ନାୟକ । ପୋଲିସ ସୁକାନ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା କୁହୁଡି ଥାନାରେ ୨୦୨୨ ମସିହାରେ ନାବାଳିକାକୁ ଦୁଷ୍କର୍ମ ଭଳି ସଂଗୀନ ମାମଲାରେ ଅଭିଯୁକ୍ତ ଭୁବନେଶ୍ୱର ଝାରପଡା ଜେଲରେ ବିଚାରଧୀନ ବନ୍ଦୀ ଭାବେ ସଜା ପାଉଥିଲେ । ତେବେ ଏହି ମାମଲାରେ ତାଙ୍କୁ ଆଜି ଖୋର୍ଦ୍ଧା କୋର୍ଟରେ ତଦନ୍ତକାରୀ ଅଧିକାରୀଙ୍କ ସାକ୍ଷୀ ଥିଲା ଏବଂ ଆଜି ତାଙ୍କର ଦଣ୍ଡ ସଜା ହେବାର ଥିଲା । ତେଣୁ ଅଭିଯୁକ୍ତକୁ ଭୁବନେଶ୍ୱର ଝାରପଡା ଜେଲରୁ କଡା ସୁରକ୍ଷାରେ ଅଣାଯାଇ ହାଜର କରାଯାଇଥିଲା କିନ୍ତୁ ସୁରକ୍ଷା କର୍ମୀଙ୍କ ଅସାବଧାନତାର ସୁଯୋଗ ନେଇ ଅଭିଯୁକ୍ତ ଜଣକ କୋର୍ଟ ପରିସରରୁ ଦୌଡ଼ି ପଳାଇଛି । ସୁରକ୍ଷା କର୍ମଚାରୀ ମଧ୍ୟ ତା ପଛରେ ଗୋଡ଼ାଇଥିବା ବେଳେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନଥିବା ଜଣାପଡିଛି । ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି। ବିଭିନ୍ନ ଗଳି କନ୍ଦିରେ ପାଇଁତରା ମାରୁଥିବାର ଦେଖିବାକୁ ମିଳିଛି। ସିସିଟିଭିରେ କଏଦ ହୋଇଛି ଅଭିଯୁକ୍ତ ଖସି ଯାଉଥିବାର ଦୃଶ୍ୟ।