କନକ ବ୍ୟୁରୋ: ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର କରି ଯୁବକଙ୍କ ଜୀବନ ବଞ୍ଚାଇ ଦେଲେ ଡାକ୍ତର । ଗତ ୯ ତାରିଖରେ ସନ୍ଧ୍ୟାରେ ଏମକେସିଜିରେ ଭର୍ତି ହୋଇଥିଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳର ମୃତ୍ୟୁଞ୍ଜୟ ପାତ୍ର । କାରଣ ସେହିଦିନ କିଛି ଦୁର୍ବୃତ ତାଙ୍କୁ ଆକ୍ରମଣ କରିଥିଲେ । ମୃତ୍ୟୁଞ୍ଜୟଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଦୁର୍ବୃତମାନେ ମୃତ୍ୟୁଞ୍ଜୟଙ୍କ ମଳଦ୍ୱାରରେ ପାଇପ୍ ଭର୍ତି କରିଦେଇଥିଲେ । ପରେ ସେହି ପାଇପ୍ ଯୋଗେ ପମ୍ପ ଦେଇ ପବନ ଭର୍ତି କରିଦେଇଥିଲେ । ଫଳରେ ମୃତ୍ୟୁଞ୍ଜୟଙ୍କ ଅବସ୍ଥା ଗୁରୁତର ହୋଇଥିଲା । ପରିବାର ଲୋକ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତି କରିଥିଲେ । ମୃତ୍ୟୁଞ୍ଜୟଙ୍କର ଏକ୍ସରେ ଓ ସିଟି ସ୍କାନ କରାଯିବା ପରେ ଜଣାପଡିଥିଲା ପବନ ପଶିବାରୁ ତାଙ୍କର ଅନ୍ତନଳୀ ଫାଟିଯାଇଛି । ମଳଦ୍ୱାର ଠାରୁ ପ୍ରାୟ ୨୦ ସେଣ୍ଟିମିଟର ଉପରେ ରହିଥିବା ବୃହତ ଅନ୍ତନଳୀର ତଳ ଭାଗରେ ଥିବା ୩ ସେଣ୍ଟିମିଟର ଅନ୍ତନଳୀ ଫାଟି ଯାଇଛି । ଏହାସହିତ ଅନ୍ୟ କିଛି ଅନ୍ତନଳୀ ମଧ୍ୟ ମାଡ ହୋଇଛି ।

Advertisment

ଗତ ୧୦ ତାରିଖରେ ମୃତ୍ୟୁଞ୍ଜୟଙ୍କର ଅପରେସନ୍ କରାଯାଇଥିଲା । ଏମକେସିଜିର ୭ ଜଣିଆ ଟିମ୍ ୩ ଘଣ୍ଟା ଧରି ଅପରେସନ୍ କରିଥିଲେ । ପବନ ବାହାର କରାଯିବା ସହ ଅନ୍ତନଳୀଗୁଡିକର ଚିକିତ୍ସା କରାଯାଇ ମଳଦ୍ୱାର ପଟେ ମଳତ୍ୟାଗ ନକରି ଶରୀରର ଅନ୍ୟ ଏକ ସ୍ଥାନରେ ମଳ ବାହାର କରାଯାଉଛି । ଅପରେସନ୍ ପରେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ସେ ଏବେ ଆଇସିୟୁରେ ଅଛନ୍ତି । ବହୁ ସମୟ ଧରି ପେଟରେ ପ୍ରେସର ପବନ ରହିବାରୁ ମୃତ୍ୟୁଞ୍ଜୟଙ୍କ କିଡନୀ ଉପରେ ପ୍ରଭାବ ପଡିଛି । ତେବେ ଏନେଇ ମୃତ୍ୟୁଞ୍ଜୟଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଏମକେସିଜି ସର୍ଜରୀ ବିଭାଗ ପକ୍ଷରୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଘଟଣା ବାବଦରେ ଜଣେଇ ଦିଆଯାଇଥିବା ପ୍ରଫେସର ଡାକ୍ତର ଶିବ ପ୍ରସାଦ ଦାସ ସୂଚନା ଦେଇଛନ୍ତି ।