ବଞ୍ଚିବା ପାଇଁ ବିକଳ୍ପ ଖୋଜୁଛି ମଧ୍ୟବିତ୍ତ ମଣିଷ । ଦିନେ ନାମିଦାମୀ ବ୍ରାଣ୍ଡର ମୋବାଇଲ ବିକୁଥିବା ବ୍ୟବସାୟୀ ଆଜି ସାଜିଲେ ଗ୍ରୋସରୀ ଦୋକାନୀ । ଟ୍ରାଭେଲ୍ ଏଜେନସୀ ମାଲିକରୁ ବନିଲେ ଦୋକାନ ।

318

କନକ ବ୍ୟୁରୋ: କରୋନା କାଳରେ ଲକଡାଉନ-ସଟଡାଉନ୍ମ ଣିଷ ଜୀବନ ଓ ଜୀବିକାର ମୋଡ଼ ବଦଳାଇଦେଇଛି । ମହାମାରୀରେ କୂଳବେଉସାଠୁ ଭିନ୍ନ ଭିନ୍ନ ବିଜନେସ୍ ସବୁ କିଛି ପ୍ରଭାବିତ ହୋଇଛି । ଗତ ବର୍ଷରୁ ଏଯାଏଁ କଟକଣାରୁ କୋହଳ ଓ ପୁଣି କୋହଳରୁ କଟକଣା ଦେଖାଇଛି ଅନେକ ଦୟନୀୟ ଓ ଦୁଃଖଭରା କାହାଣୀ । ହେଲେ ଆଜି ଆମେ ଆପଣଙ୍କୁ ଦୁଇ ଜଣଙ୍କ ଭେଟ କରାଇବୁ ଯିଏ କି, ଭୂତାଣୁ ଭୟ ଭିତରେ ଭାଙ୍ଗିଯାଇନଯାଇ ଜୀବନ ଜିଇଁବାର ବାଟ ବଦଳାଇଦେଇଛନ୍ତି ।

ଭୁବନେଶ୍ୱର ସିଆରପି ଛକରେ ମୋବାଇଲ୍ ଦୋକାନ ଭଳି ଦେଖାଯାଉଥିବା ଏହି ଦୋକାନରେ ମୋବାଇଲ ବଦଳରେ ଏବେ ମିଳୁଛି ରାସନ୍ । ଦିନେ ଭେରାଇଟି ବ୍ରାଣ୍ଡ୍ ମୋବାଇଲ ଷ୍ଟୋର ମହାମାରୀ ପାଇଁ ଏବେ ପାଲଟିଯାଇଛି ଭେରାଇଟି ଷ୍ଟୋର । ଆଉ ଏହି ଲକଡାଉନ୍-ସଟଡାଉନରେ ସଟର ପଡ଼ିଥିବା ଦୋକାନକୁ ପୁଣିଥରେ ଛିଡ଼ା କରିଛନ୍ତି ସନ୍ଦିପ୍ ସେଠୀ । ଆତ୍ମବଳ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାତଗୋଡ଼ ଚଳାଇ ରୋଜଗାର ବାଟ ବାହାର କରିଛନ୍ତି ଏହି ଯୁବକ । ଏନେଇ ମଧ୍ୟ ସେ ଖୁସିରେ ଥିବା କହି ଅନ୍ୟଙ୍କୁ କୁହନ୍ତି ଯେ, କରୋନା କାଳରେ ଦୋକାନରେ ତାଲା ପକାଇ ଘରେ ବସିବା ଅପେକ୍ଷା ରାସନ୍ ଦୋକାନରୁ ରୋଜଗାରର ନୂଆ ବାଟ ପାଇଛି ।

ଠିକ୍ ସେହିପରି କାହାଣୀ ଆସିଛି ଓଲ୍ଡଟାଉନ୍ ଅଞ୍ଚଳରୁ । ଦୀର୍ଘ ଦୁଇ ଦଶନ୍ଧି ଧରି ଟ୍ରାଭେଲ ଏଜେନ୍ସି ଜୀବିକା ଜରିଆରେ ଜୀବନ ବିତାଉଥିଲେ ପ୍ରଦୀପ ସାହୁ । କିନ୍ତୁ ପ୍ରଦୀପଙ୍କ ଉପରେ ବି କୋଭିଡ୍ କଟକଣା ଛାଟ ପଡ଼ିଲା । ଯେଉଁଥିପାଇଁ ଲକଡାଉନ୍-ସଟଡାଉନରେ ଟ୍ରାଭେଲ୍ସ ବେପାର ପୂରାପୁରି ଠପ୍ । ପରିବାର ପୋଷିବା ପାଇଁ ଟ୍ରାଭେଲ୍ସ ଦୋକନ ପୋଷ୍ଟ ପଛରେ ତେଜରାତି ଦୋକାନୀର ଟ୍ୟାଗ୍ ଲଗାଇଦେଲେ ପ୍ରଦୀପ । ଏନେଇ ପ୍ରଦୀପ କୁହନ୍ତି… ବହୁତ କଷ୍ଟରେ ଏହି ରାସନ୍ ଦୋକାନଟିଏ କରିଛି, ଯାହା ଦୁଇ ପଇସା ହେଉଛି ସେଥିରେ ପରିବାର ପେଟକୁ ଦୁଇଗଣ୍ଡା ଖାଇବା ହେଇଯାଉଛି ।

ତେବେ ଜଣେ ଯୁବକ ଅନ୍ୟ ଜଣେ ଅଭିଜ୍ଞ ବ୍ୟକ୍ତି । ନିଜ ନିଜର ପୁରୁଣା ବୃତ୍ତିକୁ ଲକଡାଉନର ଲକ୍ଷ୍ମଣରେଖା ପଛରେ ରଖି ଜୀଇଁବାର ତରିକା ବାହାରକରିଛନ୍ତି । ସରକାର ଓ ଭାଗ୍ୟର ବାହାନା କାଢୁଥିବା ଲୋକଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।