ମଉଳି ଯାଉଛି ଓଡିଶାରେ ମେଟ୍ରୋ ଟ୍ରେନର ଆଶା । ବିଧାନସଭାରେ ମନ୍ତ୍ରୀ କହିଲେ, ୨୦୪୧ ଯାଏଁ ଟ୍ୱିନ ସିଟିରେ ଗଡିପାରିବନି ମେଟ୍ରୋ ।

145

କନକ ବ୍ୟୁରୋ: ମେଟ୍ରୋ ଟ୍ରେନ୍ ଓଡ଼ିଶାରେ ଦେଖିବାକୁ ଆମକୁ ଆହୁରି ଦୁଇ ଦଶନ୍ଧିରୁ ଅଧିକ ସମୟ ଲାଗିବ । କଟକ-ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଗଡ଼ିବା ନେଇ ଯେଉଁ ସ୍ୱପ୍ନ ଦେଖା ଯାଉଥିଲା, ସେହି ସ୍ୱପ୍ନରେ ପାଣି ଢ଼ାଳି ଦେଇଛି, ମେଟ୍ରୋ ଟେନକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ।

  • ଏବେ ଟୁଇନ୍ ସିଟିରେ ଗଡ଼ିବନି ମେଟ୍ରୋ ଟ୍ରେନ୍
  • ୨୦୪୧ ସୁଦ୍ଧା ମେଟ୍ରୋ ଗଡ଼ିବା ଆଶା କ୍ଷୀଣ

କଟକ ଓ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଚଳାଇବା ପାଇଁ ହୋଇଥିବା ଫିସିବିଲିଟି ରିପୋର୍ଟ କହୁଛି ମେଟ୍ରୋ ଟ୍ରେନ, ଏବେ ନୁହେଁ କି ୨୦୪୧ ପର୍ୟ୍ୟନ୍ତ ନୁହେଁ । ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି ଭୁବନେଶ୍ୱର ଓ କଟକରେ ମେଟ୍ରୋ ରେଳ ଚାଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ କି ଏଥିପାଇଁ କୌଣସି କମ୍ପାନୀକୁ ଅର୍ଥ ଦିଆଯାଇ ନାହିଁ । ଭୁବନେଶ୍ୱର କଟକରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । ଟେଣ୍ଡର ହୋଇଥିଲା । ଏଥିପାଇଁ ୫ଟି କଂପାନୀ ଭାଗ ନେଇଥିଲେ ।

ବାଲାଜୀ ରେଲ୍ ଆଣ୍ଡ ରୋଡ୍ ବର୍ଷାଲିକୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା । ୨୦୪୧ ପର୍ଯ୍ୟନ୍ତ ଟୁଇନ୍ ସିଟିରେ ମେଟ୍ରୋ ରେଳ ଗଡ଼ିବା ଅସମ୍ଭବ । ଜନସଂଖ୍ୟା ଆଧାରରେ ସର୍ଭେ ଅନୁସାୟୀ ଫିଜିବିଲିଟି ନଥିବାରୁ ଏହାକୁ ଆଗକୁ ବଢ଼ାଯାଇ ପାରୁନି । ଏହି ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ୬୧ ହଜାର ଟଙ୍କା ଦେଇଥିବା ବେଳେ କଂପାନୀକୁ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ଦେଇଥିଲେ ।

ତେବେ ଗୃହର ଅନ୍ୟ ସଦସ୍ୟମାନେ ପୁଣି ଥରେ ଏହି ସର୍ଭେ କରିବା ପାଇଁ ଦାବି ରଖିଛନ୍ତି । ସଦସ୍ୟଙ୍କ ଦାବି ପରେ ପୁଣିଥରେ ସର୍ଭେ ପାଇଁ କେନ୍ଦ୍ର ପାଖରେ ଦାବି ହେବ। ଏଥିରେ କଟକରୁ ଚଣ୍ଡିଖୋଲ ଓ ଭୁବନେଶ୍ୱରରୁ ପୁରୀ,ଭୁବନେଶ୍ୱରରୁ ଖୋର୍ଦ୍ଧା ପର୍ୟ୍ୟନ୍ତ ଏହାକୁ ସମ୍ପ୍ରସାରଣ କରିବାର ପ୍ରସ୍ତାବ ରହିବ ବୋଲି ମନ୍ତ୍ରୀ କହିଥିଲେ । ଗୃହରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମେଟ୍ରୋ ଟ୍ରେନ ଗଡ଼ିବା ନେଇ ସରକାରଙ୍କୁ କଟାକ୍ଷ କରିଥିଲେ ।

ସୂଚନାଯୋଗ୍ୟ ଯେ, ୨୦୧୯ରେ ପ୍ରବିତ୍ର ବିଧାନସଭା ଗୃହରେ ରାଜ୍ୟପାଳ କଟକ ଓ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ଚାଲିବା ନେଇ ଅଭିଭାଷଣ ରଖିଥିଲେ । ଖାଲି ସେତିକି ନୁହେଁ ୨୦୧୯ ବିଜେଡି ଇସ୍ତାହାରରେ କହିଥିଲା, ବିଜୁ ଜନତା ଦଳ ସରକାରକୁ ପୁଣି ଥରେ ଆସିଲେ ମେଟ୍ରୋ ଟ୍ରେନ ଗଡିବ ।